ଅଶାନ୍ତ ସମୁଦ୍ର, ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ

ଗୋପାଳପୁର,୬ା୯-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ଗଞ୍ଜାମ ଜିଲାରେ ବର୍ଷା ଲାଗି ରହିଛି। ବୁଧବାର ସକାଳ ୮.୩୦ରୁ ଗୁରୁବାର ୮.୩୦ ପର୍ଯ୍ୟନ୍ତ ଜିଲାରେ ୧୦୮ ମିିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଗୁରୁବାର ସକାଳ ୮.୩୦ରୁ ସନ୍ଧ୍ୟା ୫.୩୦ମଧ୍ୟରେ ଗୋପାଳପୁର ଅଞ୍ଚଳରେ ୨୯.୪ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ଗତ କିଛିଦିନ ହେଲା ଗୋପାଳପୁର ସମୁଦ୍ର ଅଶାନ୍ତ ହୋଇ ବଡ଼ ବଡ଼ ଜୁଆର ଆସି କ୍ଷୟକ୍ଷତି କରୁଛି । ପର୍ଯ୍ୟଟକମାନେ ବେଳାଭୂମିର ମଜା ଉଠାଇ ପାରୁ ନ ଥିବା ବେଳେ ପାହାଚ ନିକଟକୁ ପାଣି ମାଡ଼ି ଆସୁଛି। ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ରେଡ୍‌ ଆଲର୍ଟ ଜାରି କରାଯାଇଥିବା ବେଳେ ଶୁକ୍ରବାର ଏଲୋ ଆଲର୍ଟ ରହିିବ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏଥିସହ ବର୍ଷା ଲାଗି ରହିବ ବୋଲି ଡପଲର ଇନ୍‌ଚାର୍ଜ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଅପରପକ୍ଷରେ ଗୋପାଳପୁର ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ମାଛ ନ ମାରିପାରି ଚିନ୍ତାରେ ଥିବା ଦେଖିବାକୁ ମିଳିଛି ।