ଅଶାଳୀନ ଶବ୍ଦ ବ୍ୟବହାର ଯୋଗୁ ଆଲିୟାଙ୍କୁ ଟ୍ରୋଲ୍‌

ମୁମ୍ବାଇ: ଉଚ୍ଚକୋଟୀର ଅଭିନୟ ସହ ବେପରୁଆ ମନ୍ତବ୍ୟ ଯୋଗୁ ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏ କଥା ମଧ୍ୟ ସତ ଯେ, ରଣବୀର କପୁରଙ୍କ ସହ ତାଙ୍କ ରିଲେସନଶିପ୍‌କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ପୂର୍ବରୁ କରଣ ଜୋହରଙ୍କ ଏକ ପପୁଲାର୍‌ ଟିଭି ଶୋ’ରେ ମଧ୍ୟ ଆଲିୟା ଗୋଟିଏ ପ୍ରଶ୍ନର ଏଭଳି ଉତ୍ତର ଦେଇଥିଲେ ଯେ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। ଏବେ ପୁଣି କରଣ ଜୋହରଙ୍କ କାର୍ଯ୍ୟକ୍ରମରେ ଏଭଳି କିଛି କହି ଆଲିୟା ଚର୍ଚ୍ଚାରେ ଅଛନ୍ତି।
ମାମି ମୁଭି ମେଲା ଓ୍ବିଥ୍‌ ଷ୍ଟାର୍ସ ୨୦୧୯’ କାର୍ଯ୍ୟକ୍ରମରେ ରବିବାର କରୀନା କପୁର ଖାନ୍‌ ଓ ଆଲିୟା ଭଟ୍ଟ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ କରଣ ଜୋହର ଉଭୟଙ୍କୁ କିଛି ପ୍ରଶ୍ନ ପଚାରୁଥିଲେ। ଏହାରି ଭିତରେ କରଣଙ୍କ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ଆଲିୟା କହୁ କହୁ ଅଶାଳୀନ ଭାଷା କହିଦେଇଥିଲେ। ଉତ୍ତର ରଖିବାବେଳେ ଆଲିୟା ମନଖୋଲି କରୀନାଙ୍କୁ ପ୍ରଶଂସା କରିବାକୁ ଲାଗିଲେ। “ଲୋକ କିଛି ବି କୁହନ୍ତି, କିନ୍ତୁ କରୀନା ବିବାହ ପରେ ବି କିପରି ନିଜକୁ ଫିଟ୍‌ ରଖିଛନ୍ତି, ବାହାଘର ପରେ ବି ଫିଲ୍ମ ପରେ ଫିଲ୍ମ କରିଚାଲିଛନ୍ତି, କେତେ ହଟ୍‌ ଦେଖାଯାଆନ୍ତି, ଏପରି କି ସେ ଚପଲ ଆଉ ଟି-ଶାର୍ଟରେ ମଧ୍ୟ ଖୁବ୍‌ ସୁନ୍ଦର ଦେଖାଯାଆନ୍ତି” ଏପରି ଅନେକ ପ୍ରଶଂସା କରୁ କରୁ ଆଲିୟାଙ୍କ ମୁହଁରୁ ହଠାତ୍‌ ଅପଶବ୍ଦ ବାହାରିଗଲା। ଏତିକି ବେଳେ ଉପସ୍ଥିତ ଦର୍ଶକ ଚିଲାଇବା ଆରମ୍ଭ କରିଥିଲେ ଓ କରୀନା ଲାଜରେ ନିଜ ମୁହଁ ଉପରେ ହାତ ରଖିଦେଇଥିଲେ। ମତେବେ ଲାଇଭ୍‌ ଶୋ’ରେ ଆଲିୟା ଏଭଳି ଅପଶବ୍ଦ ବ୍ୟବହାର କରିବେ ବୋଲି ହୁଏତ କରଣ ଆଶା କରି ନ ଥିଲେ। ତେଣୁ ସେ ପ୍ରଥମେ ଶୁଣି ପାରି ନ ଥିବାବେଳେ ପରେ ଦର୍ଶକମାନେ ଚିଲାଇବାରୁ କାରଣ ପଚାରି ବୁଝିଥିଲେ। ଏହାପରେ ସେ ଆଲିୟାଙ୍କୁ ହସି ହସି କହିଥିଲେ “ତୁମକୁ ମୁଁ ଏଭଳି ସଂସ୍କାର ଶିଖାଇଛି?” ଏ ସମସ୍ତ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଆଲିୟାଙ୍କୁ ପ୍ରବଳ ଟ୍ରୋଲ କରାଯାଉଛି।

Share