ଅଷ୍ଟମ ଦିନରେ ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା

ଯାଜପୁର ଟାଉନ,୨୮।୯(ଡି.ଏନ.ଏ.)- ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଷୋଡ଼ଶୋପଚାର ପୂଜା ଶନିବାର ଅଷ୍ଟମ ଦିନରେ ପହଞ୍ଚତ୍ଛି। ଚଳିତ ବର୍ଷ ଦୂର୍ଗାପୂଜାରେ ତିଥି କ୍ଷୟ ଯୋଗୁ ଶନିବାର ତିଥି ଅମାବାସ୍ୟା ଥିଲା। ତେଣୁ ଶନିବାର ଅଷ୍ଟମ ଦିନର ଷୋଡ଼ଶୋପଚାର ପୂଜା ସମାପନ ହୋଇଛି। ଶାରଦୀୟ ଦୁର୍ଗୋସତ୍ବ ଅବସରରେ ସକାଳୁ ଶାସନ ବ୍ରାହ୍ମଣମାନେ ଆଣିଥିବା ବୈତରଣୀ ଜଳରେ ମା’ଙ୍କ ସ୍ନାନ, ବେଶ ନିୟମିତଭାବେ କରାଯାଇଥିଲା। ୧୧ଟା ୩୦ରେ ଷୋଡ଼ଶୋପଚାର ପୂଜାର ଆୟୋଜନ କରାଯାଇଥିଲା। ଷୋଡ଼ଶୋପଚାର ପୂଜା ପରେ କଳସ ପୂଜା କରାଯାଇ ୩ଟାରେ ପହଡ଼ କରାଯାଇଥିଲା। ୪ଟାରେ ପହଡ଼ ଖୋଲିବା ପରେ ସାଧାରଣ ଦର୍ଶନ, ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ରାତିରେ ପୁନର୍ବାର ଷୋଡ଼ଶୋପଚାର ପୂଜାର ଆୟୋଜନ କରାଯାଇଛି। ଆଜି ଅମାବାସ୍ୟା ତିଥି ଯୋଗୁ ପୂଜାରେ ଆୟୋଜନ କରାଯାଇଥିବା ନିତୀର ପରିମାଣ ଦୁଇ ଗୁଣା କରାଯାଇ ବଡ଼ ନୀତି କରାଯାଇଛି। ରାତିର ପୂଜା କାର୍ଯ୍ୟକୁ ପୁରୋଧା ଜ୍ଞାନରଞ୍ଜନ ପତି, ପ୍ରଭାତ ରଞ୍ଜନ ପତି, ମନୋରଞ୍ଜନ ପତି, ବିରଜା ଶଙ୍କର ପତି, ବିରଜା କିଙ୍କର ପତି, ପ୍ରମୋଦ କୁମାର ପତି, ସରୋଜ କୁମାର ପତି, ପ୍ରସନ୍ନ ପତି, ପ୍ରଫୁଲ ପତି ସମାପନ କରିଥିଲେ। ରାତିର ପୂଜା ୮ଟା ୩୦ ମିନିଟରେ ଆରମ୍ଭ କରାଯାଇ ୧୧ଟା ୩୦ ମିନିଟରେ ଶେଷ କରାଯିବା ପରେ ରଥାଧିଭାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ରଥକାର୍ଯ୍ୟ ସମାପନ ପରେ ରାତି ୧୨ଟାରୁ ରଥାଧିଭାସ କାର୍ଯ୍ୟ ଆରମ୍ଭ କରାଯାଇଛି। ରଥ ମଣ୍ଡପରେ ରଥ ପ୍ରତିଷ୍ଠା କାର୍ଯ୍ୟ ପୂର୍ବକ ଗନ୍ଧାଧିବାସ, ହରିଦ୍ରାଧିବାସ, ଦଶଦିଗପାଳ ବଳି, ହୋମ, ଆଦି କାର୍ଯ୍ୟ ସମାପନ କରାଯାଇଛି। ରଥାଧିଭାସ ସମୟରେ ଛତ୍ର, ତରାଶ, ଆର୍ଶା, ଚରୁ, ସମିଦ୍ଧ, ଛେରା, ପାଳିଥିବା ସେବାୟତମାନେ ଉପସ୍ଥିତ ରହି ନିଜ ନିଜର କାର୍ଯ୍ୟ ସମାପନ କରିଛନ୍ତି। ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରର ସିଂହଦ୍ୱାର ଓ ମା’ଙ୍କ ପହଡ଼ ଖୋଲା ଥିବାରୁ ଭକ୍ତମାନେ ପହଞ୍ଚତ୍ ମା’ଙ୍କୁ ଦର୍ଶନ କରି ପାରୁଛନ୍ତି। ରବିବାର ସକାଳେ ମା’ଙ୍କ ପାଦ ଦର୍ଶନ ଆରମ୍ଭ କରାଯିବ। ଏଣୁ ଭକ୍ତମାନେ ପହଞ୍ଚତ୍ ଗର୍ଭ ଗୃହକୁ ପ୍ରବେଶ କରିବା ସହିତ ମା’ଙ୍କ ପାଦ ସ୍ପର୍ଶ କରିପାରିବେ। ରବିବାର ସନ୍ଧ୍ୟାରେ ମା’ ବିରଜାଙ୍କ ରଥ ଯାତ୍ରା କାର୍ଯ୍ୟ ଆୟୋଜନ କରାଯିବ। ଦିନରେ ରଥ ପ୍ରତିଷ୍ଠା କାର୍ଯ୍ୟ ମଣ୍ଡପରେ ସରିବା ପରେ ସନ୍ଧ୍ୟାରେ ମା’ ବିରଜାଙ୍କ ବିଜୟ ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବସାଇ ସେବାୟତମାନେ କାନ୍ଧରେ ଆଣି ରଥ ଉପରେ ଚଢ଼ାଇବେ। ତାପରେ ରଥ ଚାଳନା କରାଯିବ। ଏହି ସମୟରେ ସ୍ଥାନୀୟ ଲୋକେ ଓ ହଜାର ହଜାର ଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହେବେ। ରଥରେ ୯ଦିନ ଧରି ମା’ ବିରଜାଙ୍କ ବିଜୟ ପ୍ରତିମାକୁ ବେଢ଼ା ପରିକ୍ରମା କରାଯିବା ସହିତ ୯ଦିନ ଧରି ରଥ ଚାଳନା କରାଯିବ। ଅପରପକ୍ଷେ ମନ୍ଦିର ପରିସରରେ ଥିବା ନାଭିଗୟାରେ ପୂର୍ବାନୁମାନ ଅନୁଯାୟୀ ଭକ୍ତଙ୍କ ଭିଡ଼ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଲାଗି ରହିଥିଲା। ଶନିବାର ସକାଳୁ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯିବା ପରେ ପିଣ୍ଡଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିରର ପୁରୋଧା ସରୋଜ କୁମାର ପତି, ଜ୍ଞାନରଞ୍ଜନ ପତି, ମନୋରଞ୍ଜନ ପତି ଓ ପ୍ରମୋଦ କୁମାର ପତି ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ସମାପନ କରିଥିଲେ।