Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ସେରେନା, ଓଜନିଆକି

ମେଲବୋର୍ନ, ୨୩।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ ଓପନ୍‌ ମହିଳା ସିଙ୍ଗଲ୍ସରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଆଲେକ୍ସ ବାର୍ଟି, ସେରେନା ଓ୍ବିଲିୟମ୍ସ, କାରୋଲିନ୍‌ ଓଜନିଆକି, ନାଓମି ଓସାକା, ପେଟ୍ରା କ୍ୟୁଟୋଭା ଓ ଅନ୍ୟମାନେ। ଅଷ୍ଟମ ସିଡ ଅଭିଜ୍ଞ ସେରେନା ୬-୨, ୬-୩ ସେଟରେ ସ୍ଲେଭେନିଆର ତାମାରା ଜିଡାନସେକଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ୨୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଏବେ ଚାଇନାର କିୟାନ ଓ୍ବାଙ୍ଗଙ୍କୁ ଭେଟିବେ। ସେହିପରି ଡେନ୍‌ମାର୍କର ଓଜନିଆକି ୭-୫, ୭-୫ ସେଟ୍‌ରେ ୟୁକ୍ରେନ୍‌ର ଡାୟାନା ୟାଷ୍ଟ୍ରେମ୍‌ସ୍କାଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଓଜନିଆକି ଏବେ ଓନ୍ସ ଜାବେଉରଙ୍କୁ ଭେଟିବେ। ଆମେରିକାର ତୃତୀୟ ସିଡ ମହିଳା ଖେଳାଳି ନାଓମି ଓସାକା ତୃତୀୟ ରାଉଣ୍ଡରେ ନିଜ ଦେଶର କୋରି ଗଉଫ୍‌ଙ୍କୁ ଭେଟିବେ। ଓସାକା ଦ୍ୱିତୀୟ ରାଉଣ୍ଡରେ ୬-୨, ୬-୪ ସେଟରେ ଚାଇନାର ସାଇସାଇ ଝେଙ୍ଗ୍‌ଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଗଉଫ୍‌ ୪-୬, ୬-୩, ୭-୫ ସେଟରେ ରୋମାନିଆର ସେରାନା ସିର୍ଷ୍ଟିଆଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ସପ୍ତମ ସିଡ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ୟୁଟୋଭା ୭-୫, ୭-୫ ସେଟ୍‌ରେ ସ୍ପେନର ପଉଲା ବାଡୋସାଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। କ୍ୟୁଟୋଭା ତୃତୀୟ ରାଉଣ୍ଡରେ ୨୫ତମ ସିଡ୍‌ ରୁଷିଆର ଏକାଟେରିନା ଆଲେକଜାଣ୍ଡ୍ରୋଭାଙ୍କୁ ଭେଟିବେ। ସେହିପରି ଅନ୍ୟଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଟପ୍‌ ସିଡ ଆସଲେ ବାର୍ଟି ୨୯ତମ ସିଡ୍‌ ଏଲିନା ରିବାକିନାଙ୍କୁ ଭେଟିବେ। ବାର୍ଟି ୬-୧, ୬-୪ ସେଟରେ ପୋଲୋନା ହେରକୋଗଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ରିବାକିନା ୬-୩, ୬-୪ ସେଟରେ ବେଲଜିୟମ କ୍ୱାଲିଫାୟର ଗ୍ରୀଟ୍‌ ମିନେନଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଜର୍ମାନୀର ଜୁଲିଆ ଜର୍ଜେସ ୬-୧, ୬-୨ ସେଟ୍‌ରେ ସ୍ଲୋଭାକିଆର ଭିକ୍ଟୋରିଆ କୁଜ୍‌ମାଭୋଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Share