Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେମିରେ ଥିମ, ଜେଭରେଭ, ହାଲେପ୍‌

ମେଲବୋର୍ନ, ୩୦।୧(ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୧୦ ଦିବସ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭ, ଡୋମିନିକ ଥିମ୍‌ ଓ ମହିଳା ସିଙ୍ଗଲ୍ସରେ ସିମୋନା ହାଲେପ୍‌ ଓ ସ୍ପେନର ଗାର୍ବିନେ ମୁଗୁରୁଜା ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ଟାଇଟଲ୍‌ ସ୍ବପ୍ନ ଅଧୁରା
ବୁଧବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ବିପର୍ଯ୍ୟୟ ଘଟାଇଛନ୍ତି। ୫ମ ସିଡ୍‌ ଥିମ ୭-୬ (୭/୩), ୭-୬ (୭/୪), ୪-୬, ୭-୬ (୮/୬) ସେଟ୍‌ରେ ବିଶ୍ୱର ଏକ ନମ୍ବର ଖେଳାଳି ରାଫାଲ ନାଡାଲଙ୍କୁ ପରାସ୍ତ କରିଛନ୍ତି। ଫଳରେ ୩୩ ବର୍ଷୀୟ ସ୍ପାନିଶ କିମ୍ବଦନ୍ତୀ ଖେଳାଳି ନାଡାଲଙ୍କ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସ୍ବପ୍ନ ଅଧୁରା ରହିଯାଇଛି। ଏଠାରେ ଯଦି ନାଡାଲ ଚାମ୍ପିୟନ ହୋଇଥାନ୍ତେ ତେବେ ରୋଜର ଫେଡରରଙ୍କ ରେକର୍ଡ ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ସହ ସମକକ୍ଷ ହୋଇଥାନ୍ତେ। ସେହିଭଳି ଗତ ୨ଟି ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ନାଡାଲଙ୍କଠାରୁ ହାରି ଥିମ ରନର୍ସଅପ୍‌ ହେଉଥିଲେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲାରେ ୭ମ ସିଡ୍‌ ଜେଭରେଭ ୧-୬, ୬-୩, ୬-୪, ୬-୨ ସେଟ୍‌ରେ ୨୦୧୪ ଚାମ୍ପିୟନ ସୁଇଜରଲାଣ୍ଡର ଷ୍ଟାନ୍‌ ଓ୍ବାରିଙ୍କାଙ୍କୁ ପରାସ୍ତ କରିଥିଲେ। ୨୨ ବର୍ଷୀୟ ଜେଭରେଭ ପ୍ରଥମ ସେଟ୍‌କୁ ୧-୬ରେ ହାରିଯାଇଥିଲେ ମଧ୍ୟ ପରବର୍ତ୍ତୀ ୩ଟି ସେଟ୍‌କୁ ଜିତି ମ୍ୟାଚ୍‌କୁ କବ୍‌ଜା କରିବା ସହ ଅନ୍ତିମ-୪ରେ ସ୍ଥାନ ସୁରକ୍ଷିତ କରିନେଇଥିଲେ। ଜେଭରେଭ ପ୍ରଥମଥର ଲାଗି କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସେମିଫାଇନାଲରେ ଜେଭଭେଜ ଓ ଥିମଙ୍କ ମଧ୍ୟରେ ମୁକାବିଲା ହେବ।
ହାଲେପ୍‌-ମୁଗୁରୁଜା ସେମି
ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ରୋମାନିଆର ସିମୋନା ହାଲେପ୍‌ ଓ ସ୍ପେନର ଗାର୍ବିନେ ମୁଗୁରୁଜାଙ୍କ ମଧ୍ୟରେ ମୁକାବିଲା ହେବ। ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ୨୮ ବର୍ଷୀୟା ହାଲେପ୍‌ ୬-୧, ୬-୧ ସିଧାସଳଖ ସେଟ୍‌ରେ ଇସ୍ତୋନିଆର ଏନେଟ୍ଟ କୋଣ୍ଟାଭେଇଟ୍‌ଙ୍କୁ ପରାସ୍ତ କରିଛନ୍ତି। ଦୁଇଥର ଗ୍ରାଣ୍ଡସ୍ଲାମ ବିଜୟିନୀ ହାଲେପ୍‌ଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ମାତ୍ର ୫୩ ମିନିଟ୍‌ ସମୟ ଲାଗିଥିଲା। ଅପରପକ୍ଷରେ ନିଜର ପ୍ରଥମ କ୍ୱାର୍ଟର ଫାଇନାଲ ଖେଳିଥିବା ଏନେଟ୍ଟଙ୍କୁ ନିରାଶ ହେବାକୁ ପଡ଼ିଛି। ସେହିଭଳି ଅନ୍ୟ ଏକ ଅନ୍ତିମ-୮ ରାଉଣ୍ଡ ମ୍ୟାଚ୍‌ରେ ଅନ୍‌ସିଡ୍‌ ମୁଗୁରୁଜା ୭-୫, ୬-୩ ସେଟ୍‌ରେ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ହରାଇଛନ୍ତି। ବିଜୟ ସହ ୨୬ ବର୍ଷୀୟା ମୁଗୁରୁଜା ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।

Share