Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ : ସେରେନା, ଜୋକୋଭିଚ୍‌, ଫେଡ୍‌ରରଙ୍କ ବିଜୟ ଅଭିଯାନ

ମେଲବୋର୍ନ, ୨୦।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ତଥା ଅଷ୍ଟ୍ରେଲିଆନ ଓପନ୍‌ର ୧୦୮ତମ ସଂସ୍କରଣ ସୋମବାରଠାରୁ ସ୍ଥାନୀୟ ମେଲବୋର୍ନ ପାର୍କଠାରେ ଆରମ୍ଭ ହୋଇଛି। ମହିଳା ଓ ପୁରୁଷ ବିଭାଗରେ ତିନି କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ, ନୋଭାକ ଜୋକୋଭିଚ୍‌ ଓ ରୋଜର ଫେଡରର ବିଜୟରୁ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ପୂର୍ବରୁ ଭୟଙ୍କର ଜଙ୍ଗଲ ପୋଡ଼ିଜନିତ ଧୂଆଁ ଲାଗି ଗତ ସପ୍ତାହରେ ଏହି ସମ୍ମାନଜନକ ପ୍ରତିଯୋଗିତା ଯୋଗ୍ୟତା ପର୍ଯ୍ୟାୟର କେତେକ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ମୁଖ୍ୟ ପର୍ଯ୍ୟାୟର ପ୍ରଥମ ଦିନରେ ୪ ଘଣ୍ଟା ବର୍ଷା ହେବାରୁ ୬୪ରୁ ୧୮ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇ ପୁନଃ ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ମାର୍ଗୋରେଟ୍‌ କୋର୍ଟ ଏରେନା ଉପରେ ରହିଥିବା ଅତ୍ୟାଧୁନିକ କଭର ଛାତ ସତ୍ତ୍ୱେ ଭୀଷଣ ବର୍ଷା ଯୋଗୁ ମ୍ୟାଚ୍‌ ମଙ୍ଗଳବାରକୁ ସ୍ଥଗିତ ରଖାଯାଇଛି।
୩ ନମ୍ବର ମାନ୍ୟତାପ୍ରାପ୍ତ ସୁଇଜରଲାଣ୍ଡ ତାରକା ଫେଡରର ପୁରୁଷ ବିଭାଗ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି। ଫେଡରର ୬-୩, ୬-୨, ୬-୨ ସିଧାସଳଖ ସେଟ୍‌ରେ ଆମେରିକାର ଷ୍ଟିଭ ଜନସନଙ୍କୁ ପରାସ୍ତ କରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିଭଳି ଟାଇଟଲ ଦାବିଦାର ତଥା ଡିଫେଣ୍ଡିଂ ଚାମ୍ପିୟନ ସର୍ବିୟାର ଜୋକୋଭିଚ୍‌ ୭-୬ (୫), ୬-୨, ୨-୬, ୬-୧ ସେଟ୍‌ରେ ଜର୍ମାନୀର ଜାନ୍‌-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ହରାଇଛନ୍ତି। ଜୋକୋଭିଚ୍‌ଙ୍କ କ୍ୟାରିୟରର ଏହା ୬୯ତମ ମେଜର ମ୍ୟାଚ୍‌ ବିଜୟ। ଏଥିସହ ୩୨ ବର୍ଷୀୟ ଜୋକୋଭିଚ୍‌ ଲଗାତର ୧୪ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଯଦି ସେ ଏଠାରେ ଚାମ୍ପିୟନ ହୁଅନ୍ତି ତେବେ ରେକର୍ଡ ୮ମଥର ଲାଗି ଏହି ଟ୍ରଫି ହାତେଇବାରେ ସଫଳ ହେବେ। ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସ ୬-୦, ୬-୨, ୬-୩ ସେଟ୍‌ରେ ସାଲ୍‌ଭାଟୋର କାରୁସୋଙ୍କୁ ମାତ୍‌ ଦେଇଛନ୍ତି।
ଭେନସ୍‌ଙ୍କୁ ହରାଇଲେ ୧୫ ବର୍ଷୀୟା ଗଫ୍‌
ମହିଳା ବିଭାଗର ପ୍ରଥମ ରାଉଣ୍ଡରୁ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ୭ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଭେନସ୍‌ ଓ୍ବିଲିୟମ୍ସ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଅନ୍ୟତମ ଆମେରିକୀୟ ଖେଳାଳି ୧୫ ବର୍ଷୀୟା ଖେଳାଳି କୋକୋ ଗଫ୍‌ଙ୍କ ନିକଟରୁ ୭-୬, ୬-୩ ସିଧାସଳଖ ସେଟ୍‌ରେ ହାରିଯାଇଛନ୍ତି। ଗଫ୍‌ ଏଥିସହ ୨ୟଥର ପାଇଁ କୌଣସି ମେଜର ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ୩୯ ବର୍ଷୀୟା ଭେନସ୍‌ଙ୍କୁ ମାତ୍‌ ଦେଇଛନ୍ତି। ଛ’ମାସ ତଳେ ଓ୍ବିମ୍ବଲଡନ ଓପନ୍‌ର ପ୍ରଥମ ରାଉଣ୍ଡରେ ମଧ୍ୟ ଭେନସ୍‌ ଗଫ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ଭେନସ୍‌ଙ୍କ ଭଉଣୀ ସେରେନା ୬-୦, ୬-୩ ସେଟ୍‌ରେ ଆନାସ୍ତାସିଆ ପୋଟାପୋଭାଙ୍କୁ ହରାଇଛନ୍ତି। ୨୪ତମ ଗ୍ରାଣ୍ଡସ୍ଲାମ ବିଜୟ ଲକ୍ଷ୍ୟରେ ରହିଥିବା ସେରେନା ଏହି ମ୍ୟାଚ୍‌ ଜିତିବାକୁ ଏକ ଘଣ୍ଟାରୁ କମ୍‌ ସମୟ ନେଇଥିଲେ। ଡିଫେଣ୍ଡିଂ ଚାମ୍ପିୟନ ନାଓମି ଓସାକା ୬-୨, ୬-୪ରେ ଚେକ୍‌ ରିପବ୍ଲିକର ମାରିଏ ବୋଉଭକୋଭାଙ୍କୁ, ବିଶ୍ୱର ଏକ ନମ୍ବର ଖେଳାଳି ଆସ୍‌ଲେଇଘ ବାର୍ଟି ୫-୭, ୬-୧, ୬-୧ ସେଟ୍‌ରେ ୟୁକ୍ରେନର ଲେସିଆ ସୁରେଙ୍କୋଙ୍କୁ ପରାସ୍ତ କରିଛନ୍ତି।

Share