Categories: ଖେଳ

ଅଷ୍ଟ୍ରେଲିଆନ ଓପନ: ଚତୁର୍ଥ ରାଉଣ୍ଡରେ ନାଡାଲ, ଥିମ୍‌, ଓ୍ବାରିଙ୍କା

ମେଲବୋର୍ନ, ୨୬।୧(ଏଏଫ୍‌ପି)- ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲ ବର୍ଷ ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଜୟଯାତ୍ର ଜାରି ରଖିଛନ୍ତି। ଶନିବାର ଟୁର୍ନାମେଣ୍ଟର ଷଷ୍ଠ ଦିବସରେ ନାଡ଼ାଲ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୨୭ ତମ ସିଡ ଖେଳାଳି ସ୍ପେନର ପାବ୍ଲୋ କାରେନୋ ବୁଷ୍ଟାଙ୍କୁ ୬-୧, ୬-୨, ୬-୪ ସେଟ୍‌ରେ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୩ ବର୍ଷୀୟ ନାଡାଲ ଏଥର ସଫଳ ହେଲେ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଅଭିଜ୍ଞ ତଥା ସିନିୟର ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସମକକ୍ଷ ହେବେ। ଏବେ ସେ ୨୩ତମ ସିଡ ଅଷ୍ଟ୍ରେଲିଆର ନିକ୍‌ କିର୍ଗିୟସଙ୍କୁ ପରବର୍ତ୍ତୀ ରାଉଣ୍ଡରେ ଭେଟିବେ। କିର୍ଗିୟସ ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ମାରାଥନ ୬-୨, ୭-୬, ୬-୭, ୬-୭, ୭-୬ ସେଟ୍‌ରେ ୧୬ତମ ସିଡ୍‌ ରୁଷିଆର କାରେନ ଖାଚାନୋଭଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୧୦ମ ସିଡ ଫ୍ରାନ୍ସର ଗାଏଲ ମନଫିଲ୍ସ ଓ ପଞ୍ଚମ ସିଡ୍‌ ଡୋମିନିକ୍‌ ଥିମ୍‌ ପରସ୍ପରକୁ ଭେଟିବେ। ମନ୍‌ଫିଲ୍ଡ ୭-୬. ୬-୪, ୬-୩ ସେଟ୍‌ରେ ଲାଟଭିଆ କ୍ୱାଲିଫାୟର ଏର୍ନେଷ୍ଟ ଗଲବିସ୍‌ଙ୍କୁ ଓ ଅଷ୍ଟ୍ରିଆର ଥିମ୍‌ ୬-୨, ୬-୪, ୭-୭, ୬-୪ ସେଟ୍‌ରେ ୨୯ତମ ସିଡ୍‌ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ହରାଇ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ସେହିପରି ଅନ୍ୟଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଚତୁର୍ଥ ସିଡ୍‌ ରୁଷିଆର ଡାନିଏଲ ମେଡଭେଡେଭ ଓ ୨୦୧୪ ଚାମ୍ପିୟନ ୧୫ତମ ସିଡ୍‌ ସୁଇଜରଲାଣ୍ଡର ଷ୍ଟାନିସ୍‌ଲାସ ଓ୍ବାରିଙ୍କା ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ମେଡଭେଡେଭ ୬-୪, ୬-୩, ୬-୨ ସେଟ୍‌ରେ ଆଲେକ୍ସେଇ ପପିରିନଙ୍କୁ ଓ ୧୯ତମ ସିଡ୍‌ ଜନ୍‌ ଇସ୍ନର ରିଟାୟାର୍ଡ ହର୍ଟ ହେବା କାରଣରୁ ଓ୍ବାରିଙ୍କା ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ସପ୍ତମ ସିଡ୍‌ ଜର୍ମାନୀର ଆଲେକଜାଣ୍ଡାର ଭେରେଭ ଓ ୧୭ତମ ସିଡ୍‌ ଆନ୍ଦ୍ରେ ରୁବ୍ଲେଭ ଚତୁର୍ଥ ରାଉଣ୍ଡରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ରୁବ୍ଲେଭ ୨-୬, ୭-୬, ୬-୪, ୭-୬ ସେଟ୍‌ରେ ୧୧ତମ ସିଡ ଡେଭିଡ ଗଫିନ୍‌ ଓ ଭେରେଭ ୬-୨,୬-୨,୬-୪ ସେଟ୍‌ରେ ଫର୍ନାଣ୍ଡୋ ଭର୍ଡାସ୍କୋଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Share