Categories: ଖେଳ

ଅଷ୍ଟ୍ରେଲିଆନ ଓପନ: ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମେଲ୍‌ବୋର୍ନ,୧୮।୧- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଶୁକ୍ରବାର ଅଷ୍ଟ୍ରେଲିଆନ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଯଦି ସେ ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ସଫଳ ହୁଅନ୍ତି, ତେବେ ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କ ନୋଭାକ ଜୋକୋଭିଚ୍‌ଙ୍କୁ ଭେଟିବେ। ବାମହାତୀ ଭାରତୀୟ ଖେଳାଳି ପ୍ରଜନେଶ କ୍ୱାଲିଫାଇଂ ରାଉଣ୍ଡର ଫାଇନାଲରେ ଲାଟଭିଆର ଇର୍ନେଷ୍ଟ ଗୁଲବିସଙ୍କଠାରୁ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ଜଣେ ସିଧାସଳଖ ଯୋଗ୍ୟତା ପାଇଥିବା ଖେଳାଳି ଇଭେଣ୍ଟରୁ ଓହରିଯିବାରୁ ପ୍ରଜନେଶ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସେ କ୍ରମାଗତ ୫ମ ଥର ପାଇଁ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛନ୍ତି। ଗତବର୍ଷ ଚେନ୍ନାଇ ଖେଳାଳି ଯୋଗ୍ୟତା ପର୍ଯ୍ୟାୟ ଜରିଆରେ ଅଷ୍ଟ୍ରେଲିଆନ ଓପନ ଖେଳିଥିଲେ। କିନ୍ତୁ ଉନ୍ନତ ର଼୍ୟାଙ୍କିଙ୍ଗ୍‌ ବଳରେ ଓ୍ବିମ୍ବେଲଡନ, ଫ୍ରେଞ୍ଚ ଓ ୟୁଏସ୍‌ ଓପନରେ ପ୍ରତିନିଧିତ୍ୱ କରିଥିଲେ। ୧୪୪ତମ ର଼୍ୟାଙ୍କ୍‌ଧାରୀ ପ୍ରଜନେଶ ପ୍ରଥମ ରାଉଣ୍ଡରେ ନିଜଠାରୁ ୨୨ ସ୍ଥାନ ତଳେ ଥିବା ଜାପାନିଜ ତାତ୍‌ସୁମା ଇଟୋଙ୍କୁ ଭେଟିବେ। ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବେ।

Share