Categories: ଫୁରସତ

ଅଷ୍ଟ୍ରେଲିଆର ଏହି ମହିଳା ପ୍ରତିଦିନ ପିନ୍ଧିଥାନ୍ତି ବିବାହ ସମୟର ଡ୍ରେସ୍‌, ଭାରତ ସହିତ ଯୋଡ଼ି ହୋଇଛି କାରଣ

ବିଶେଷକରି ବିବାହ ସମୟରେ ବରକନ୍ୟା  ସ୍ବତନ୍ତ୍ର ଦାମୀ ପୋଷାକ, ଅଳଙ୍କାର, ଜୋତା ଆଦି ପିନ୍ଧିଥାନ୍ତି। ବରକନ୍ୟା ପିନ୍ଧୁଥିବା ପୋଷାକ କେବଳ ଗୋଟିଏ ଦିନ ପାଇଁ । ପରେ ଏହା ଆଲମାରୀର ଶୋଭାବର୍ଦ୍ଧନ କରିଥାଏ ବୋଲି ଜାଣିଛେ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯେ କି ପ୍ରତିଦିନ ତାଙ୍କ ବିବାହ ସମୟରେ ପିନ୍ଧିଥିବା ଡ୍ରେସ ପିନ୍ଧୁଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ଦକ୍ଷିଣ ଅଷ୍ଟ୍ରେଲିଆର ଏଡ୍‌ଲେଡ୍‌ ସହରରେ ରହୁଥିବା ୪୩ ବର୍ଷୀୟା ଟୈମୀ ହାଲ। ସେ ଯୁଆଡ଼େ ବି ଯାଆନ୍ତୁ ନା କାହିଁକି ବିବାହ ବେଳର ଡ୍ରେସ୍‌ ପିନ୍ଧି ଯାଇଥାନ୍ତି।

ଏହା ପଛରେ ଏକ କାରଣ ମଧ୍ୟ ରହିଛି। ୨୦୧୬ରେ ମହିଳା ଜଣଙ୍କ ଭାରତ ବୁଲିବାକୁ ଆସିଥିଲେ। ସେହି ସମୟରେ ସେ ଦାମୀ ଡ୍ରେସ୍‌ ଏବଂ ଜୋତା କିଣିଥିଲେ। ଯେତେବେଳେ ସେ ଅଷ୍ଟ୍ରେଲିଆ ଫେରିଗଲେ ତାଙ୍କ ମନକୁ ଆସିଲା ଅଯଥାରେ ଆଉ ଟଙ୍କା ଖର୍ଚ୍ଚ କରିବେ ନାହିଁ। ଏମିତିରେ ବି ଟୈମୀ ଜଣେ ପରିବେଶବିତ୍‌। ତେଣୁ ସେ ସବୁକ୍ଷେତ୍ରରେ ସଚେତନ ରହୁଥିଲେ। ୨୦୧୮ରେ ତାଙ୍କର ବିବାହ ହୋଇଥିଲା। ଏହି ସମୟରେ ସେ ଏକ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ। ଯାହାର ଦାମ୍‌ ୯୮୫ ପାଉଣ୍ଡ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮୬ ହଜାର ଟଙ୍କା।  ଏକ ରିପୋର୍ଟ ଅନୁଯାୟୀ, ଟୈମୀ କୁହନ୍ତି, ଏହି ଡ୍ରେସ୍‌ରେ ତାଙ୍କର ଏତେ ଟଙ୍କା ଖର୍ଚ୍ଚ କରିବା ଠିକ୍‌ ନ ଥିଲା। ସେହିଦିନଠାରୁ ସେ ନିଷ୍ପତ୍ତି ନେଲେ ବିବାହ ସମୟରେ ପିନ୍ଧିଥିବା ଡ୍ରେସ୍‌କୁ ପ୍ରତିଦିନ ପିନ୍ଧିବେ ବୋଲି। ଦୈନିକ ପିନ୍ଧିଲେ ଡ୍ରେସ୍‌ର ଦାମ୍‌ ଉଠିଯିବ ଆଉ ଅଯଥା ଖର୍ଚ୍ଚରୁ ମଧ୍ୟ ନିସ୍ତାର ମିଳିବ। ସେ କୁହନ୍ତି, ଯେତେବେଳେ ସେ କୌଣସି କାମରେ ବାହାରକୁ ଯାଆନ୍ତି ଲୋକେ ତାଙ୍କୁ ବୁଲି ଚାହିଁଥାନ୍ତି। କ’ଣ ପାଇଁ ସେ ଏପରି ଡ୍ରେସ୍‌ ପିନ୍ଧିଛନ୍ତି। କିନ୍ତୁ ସେ ପ୍ରତିଦିନ ଏହି ଡ୍ରେସ୍‌ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିଏ କ’ଣ କହିଲା ନ କହିଲା ସେଥିପ୍ରତି ଆଦୌ ଧ୍ୟାନ ଦେଇ ନ ଥାନ୍ତି।

Share