Categories: ଖେଳ

ଅଷ୍ଟ୍ରେଲିଆ ଓପନରୁ ଓହରିଲେ ସାନିଆ ମିର୍ଜା

ମେଲବୋର୍ନ,୨୩।୧- ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଆହତ ସମସ୍ୟା ଯୋଗୁ ସେ ମହିଳା ଡବଲ୍ସ ବର୍ଗର ପ୍ରଥମ ମ୍ୟାଚ୍‌ ଅଧାରୁ ଓହରି ଯାଇଛନ୍ତି। ଚାଇନାର ଜିନୟୁନ ହାନ-ଲିନ ଝୁଙ୍କ ବିପକ୍ଷ ମ୍ୟାଚ୍‌ରେ ମିର୍ଜା ଓ ୟୁକ୍ରେନ ସାଥୀ ନାଡିଆ କିଚେନୋକଙ୍କ ଯୋଡ଼ି ଦ୍ୱିତୀୟ ସେଟ୍‌ରେ ୦-୧ରେ ପଛୁଆ ଥିବାବେଳେ ସାନିଆଙ୍କ ଗୋଡ଼ର ମାଂସପେଶୀରେ ଆଘାତ ଯୋଗୁ ମ୍ୟାଚ୍‌ରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡୋ-ୟୁକ୍ରେନ ଖେଳାଳି ପ୍ରଥମ ସେଟ୍‌ରେ ୨-୬ରେ ପରାସ୍ତ ହୋଇଥିଲା। ୩୩ ବର୍ଷୀୟା ମିର୍ଜା ଅଭ୍ୟାସବେଳେ ଗୋଡ଼ରେ ଆଘାତ ପାଇଥିଲେ। ଏଣୁ ସେ ଷ୍ଟ୍ରାପ ବ୍ୟବହାର କରି କୋର୍ଟକୁ ଓହ୍ଲାଇଥିଲେ। କିନ୍ତୁ ୩୩ ମିନିଟ୍‌ ଧରି ଚାଲିଥିବା ମ୍ୟାଚ୍‌ରେ ସାନିଆ କଦାପି ଆଶାନୁଯାୟୀ ପ୍ରଦର୍ଶନ କରିପାରି ନ ଥିଲେ। ପୂର୍ବରୁ ସେ ମିକ୍ସଡ୍‌ ଡବଲ୍ସ ବର୍ଗରୁ ଓହରିଯାଇଥିଲେ। ସେଥିରେ ସେ ରୋହନ ବୋପାନ୍ନାଙ୍କ ସହ ଖେଳିଥାନ୍ତେ। ସୂଚନାଯୋଗ୍ୟ, ପୂର୍ବତନ ନମ୍ବର ଓ୍ବାନ ମହିଳା ଡବଲ୍ସ ଖେଳାଳି ମିର୍ଜା ଓ କିଚେନୋକ ଗତ ସପ୍ତାହରେ ହୋବାର୍ଟ ଇଣ୍ଟରନ୍ୟାଶନାଲ ଟାଇଟଲ ହାତେଇଥିଲେ।

Share