Categories: ଖେଳ

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦଶନ୍ଧିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ କରାଯାଇଛି। କୋହଲି ଉଭୟ ଦଳରେ ସ୍ଥାନ ପାଇବା ସ୍ବାଭାବିକ। ଏହି ୩୧ବର୍ଷୀୟ ଖେଳାଳି ଗତ ୧୦ବର୍ଷରୁ ଅଧିକ ଦିନ ଧରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇ ଆସୁଛନ୍ତି। ଇତିମଧ୍ୟରେ ସେ ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହ ସଚିନ ତେନ୍ଦୁଲକର (୧୦୦) ଏବଂ ରିକି ପଣ୍ଟିଂ (୭୧)ଙ୍କ ପଛରେ ରହିଛନ୍ତି। ସମସ୍ତ ଫର୍ମାଟରେ କୋହଲିଙ୍କ ଆଭରେଜ ୫୦ରୁ ଅଧିକ ରହିଛି। ୨୧,୪୪୪ ରନ ସହ ସର୍ବକାଳୀନ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ସେ ତେନ୍ଦୁଲକର (୩୪,୩୫୭) ଏବଂ ପଣ୍ଟିଂ(୨୭,୪୮୩)ଙ୍କ ପଛରେ ରହିଛନ୍ତି। ଭାରତୀୟ ଅଧିନାୟକ କହିବାକୁ ଗଲେ ବିଶ୍ୱର ସମସ୍ତ ଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଡାଉନ୍‌ ଅଣ୍ଡରରେ ସେ ୯ଟି ଶତକ(୬ଟି ଟେଷ୍ଟ ଓ ୩ଟି ଦିନିକିଆ) ହାସଲ କରିଛନ୍ତି। ଦଶନ୍ଧିର ଟେଷ୍ଟ ଏକାଦଶ ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ, ଆଲିଷ୍ଟର କୁକ୍‌, ଡେଭିଡ୍‌ ଓ୍ବାର୍ନର, କେନ୍‌ ଓ୍ବିଲିୟମସନ, ଷ୍ଟିଭ ସ୍ମିଥ୍‌, ଏବି ଡି’ଭିଲର୍ସ, ବେନ୍‌ ଷ୍ଟୋକ୍ସ, ଡେଲ୍‌ ଷ୍ଟେଇନ୍‌, ଷ୍ଟୁଆର୍ଟ ବ୍ରଡ୍‌, ନାଥାନ ଲିଅନ୍‌ ଏବଂ ଜେମ୍ସ ଆଣ୍ଡରସନ। ଏହି ଓ୍ବେବ୍‌ସାଇଟ୍‌ ଦଶନ୍ଧିର ଅନ୍ତର୍ଜାତୀୟ ଦିନିଆ ଦଳର ଅଧିନାୟକ ଭାବେ ଧୋନୀଙ୍କୁ ଚୟନ କରିଛି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଦୁଇଥର ୨୦୦୭ ଓ ୨୦୧୧ରେ ବିଶ୍ୱକପ୍‌ ଟାଇଟଲ ଜିତିଛି। ବିଶ୍ୱକପ୍‌ରେ ୫ ଶତକ ସହ ୨୦୧୯ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମାଙ୍କ ସହିତ ହାଶିମ ଅମ୍‌ଲାଙ୍କୁ ଓପନର ଭାବେ ଦଳରେ ସାମିଲ କରାଯାଇଛି। କୋହଲି ନିର୍ଦ୍ୱନ୍ଦ୍ୱରେ ବ୍ୟାଟିଂ ଅର୍ଡରର ୩ୟ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ପଛ ଯଥାକ୍ରମେ ରହିଛନ୍ତି ଡି’ ଭିଲର୍ସ, ଶକିବ ଅଲ ହସନ, ଜୋସ୍‌ ବଟଲର, ଧୋନୀ, ରଶିଦ୍‌ ଖାଁ, ମିଚେଲ୍‌ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ ଏବଂ ଲସିଥ ମାଲିଙ୍ଗା।

Share