ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍‌ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ

ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ ବଢାଇଛନ୍ତି। ବଲିଉଡ୍‌ ବିୟୁଟି ଜୁହି ଚାଓ୍ବଲାଙ୍କ ପୁଅ ମଧ୍ୟ ଏ କ୍ଷେତ୍ରରେ ଦୁଇ ପାଦ ଆଗକୁ ଆସିଛନ୍ତି। ଜୁହିଙ୍କ ପୁଅ ଅର୍ଜୁନ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ନିଜ ପକେଟ ମନି ଦାନ କରିଛନ୍ତି। ଅର୍ଜୁନ ପ୍ରାୟ ୩ଶହ ପାଉଣ୍ଡ ଅଷ୍ଟ୍ରେଲିଆ ସରକାରଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଜୁହି କୁହନ୍ତି ପୁଅ ଅର୍ଜୁନ ମୋତେ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁ ସମ୍ପର୍କରେ ପଚାରିଥିଲେ। ଆଉ ସେଥିପାଇଁ ମୁଁ କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଆଉ ଏହାପରେ ସେ ତାଙ୍କ ପକେଟ ମନି ଦାନ କରିଥିବା କହିବା ପରେ ମୋତେ ଖୁସି ଲାଗିଥିଲା। ଜୁହି କହିଥିଲେ ଅର୍ଜୁନଙ୍କ ଏଭଳି କାମ ପାଇଁ ମା’ ହିସାବରେ ମୁଁ ଗର୍ବ ଅନୁଭବ କରୁଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ପ୍ରାୟ ୨୫ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାସହ ଏହି ନିଆଁରେ ଶହଶହ ବନ୍ୟଜନ୍ତୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏଥିରେ କୋଟିକୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ଅର୍ଜୁନ ଏବେ ବ୍ରିଟେନର ଏକ ବୋର୍ଡିଂ ସ୍କୁଲରେ ପାଠ ପଢୁଛନ୍ତି।

Share