Categories: ଖେଳ

ଅଷ୍ଟ୍ରେଲିଆ ଟି୨୦ ଦଳକୁ ଫେରିଲେ ସ୍ମିଥ୍‌, ଓ୍ବାର୍ନର

ଆଡିଲେଡ୍‌, ୨୬।୧୦ (ଏଏଫ୍‌ପି)- ଆସନ୍ତା ବର୍ଷ ଘରୋଇ ପରିବେଶ୍‌ରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାବେଳେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଏହି ଦଳକୁ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବଲ୍‌ ଟ୍ୟାମ୍ପରିଂ ଯୋଗୁ ଏହି ଦୁଇ ବ୍ୟାଟ୍ସମ୍ୟାନ ବର୍ଷେ ବାସନ୍ଦ ହେବା ପରେ ଏବେ ଟେଷ୍ଟ, ଦିନିକିଆ ଓ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ ସଫଳତାର ଶୀର୍ଷକୁ ଛୁଇଁଥିବା ବେଳେ ଟି୨୦ ବିଶ୍ୱକପ୍‌ ଏପର୍ଯ୍ୟନ୍ତ ହାସଲ କରିପାରି ନାହିଁ। ତେବେ ଅଷ୍ଟ୍ରେଲିଆ ୨୦୧୦ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଏହି ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆରୋନ ଫିଞ୍ଚ୍‌ ପୂର୍ବ ପରି ନେତୃତ୍ୱ ବଜାୟ ରଖିଛନ୍ତି। ଗତ ୫ଟି ଆଶେସ ଟେଷ୍ଟରେ ଓ୍ବାର୍ନର ସାଂଘାତିକ ଭାବେ ବିଫଳ ହୋଇଥିଲେ। ତେବେ ସେ ଅଷ୍ଟ୍ରେଲିଆର ସର୍ବାଧିକ ଟି୨୦ ସ୍କୋରର ରହିଛନ୍ତି। ଫିଞ୍ଚ୍‌ଙ୍କ ସହ ସେ ଇନିଂସ ଓପନ କରିବେ। ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ବୋଲିଂ ବିଭାଗର ମଙ୍ଗ ସମ୍ଭାଳିବେ। ଆଣ୍ଡ୍ର୍ୟୁ ଟାଏ, କେନ୍‌ ରିଚାର୍ଡସନ ଓ ବିଲି ଷ୍ଟାନଲେକ ଏମାନଙ୍କୁ ସହଯୋଗ କରିବେ।
ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ଶ୍ରୀଲଙ୍କା ମଧ୍ୟ ଦଳ ଘୋଷଣା କରିଛି। ଅଭିଜ୍ଞ ବୋଲର ଲସିଥ ମାଲିଙ୍ଗା ଦଳର ନେତୃତ୍ୱ ନେବେ। କୁଶାଲ ପେରେରା ଓ ନିରୋଶାନ ଡିକ୍‌ଓ୍ବେଲାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସେହିପରି ପାକିସ୍ତାନକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାନୁକା ରାଜପାକସା ଏବଂ ଓଶାଡା ଫର୍ନାଣ୍ଡୋଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ପ୍ରଥମ ଟି୨୦ ରବିବାର ଆଡିଲେଡ ଓଭାଲରେ ଖେଳାଯିବ। ଏହାର ୩ ଦିନ ପରେ ଦ୍ୱିତୀୟ ମ୍ୟାଚ୍‌ ବ୍ରିସ୍‌ବେନ୍‌ ଓ ନଭେମ୍ବର ୧ ତାରିଖରେ ମେଲବୋର୍ନରେ ଅନ୍ତିମ ତଥା ତୃତୀୟ ମ୍ୟାଚ ଖେଳାଯିବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଷ୍ଟନ ଅଗର, ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ଗ୍ଳେନ ମ୍ୟାକ୍ସଓ୍ବେଲ, ବେନ ମ୍ୟାକଡର୍ମଟ, କେନ୍‌ ରିଚାର୍ଡସନ, ଷ୍ଟିଭ୍‌ ସ୍ମିଥ୍‌, ବିଲି ଷ୍ଟାନଲେକ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଆଣ୍ଡ୍ର୍ୟୁ ଟାଏ, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା (ଅଧିନାୟକ), କୁଶାଲ ପେରେରା, କୁଶାଲ ମେଣ୍ଡିସ୍‌, ଦନୁଷ୍କା ଗୁଣଥିଲକା, ଅଭିସ୍କା ଫର୍ନାଣ୍ଡୋ, ନିରୋଶାନ ଡିକ୍‌ଓ୍ବେଲା, ଦସୁନ ଶନକା, ଶେହାନ ଜୟସୁରିୟା, ଭାନୁକା ରାଜପାକ୍‌ସା, ଓଶାଡା ଫର୍ନାଣ୍ଡୋ, ଓ୍ବାନିଡୁ ହାସରଙ୍ଗା, ଲକ୍ଷନ ସନ୍ଦକାନ, ନୂଆନ ପ୍ରଦୀପ, ଲାହିରୁ କୁମାରା, ଇସୁରୁ ଉଡାନା ଓ କାସୁନ ରଜିଥା।

Share