Posted inଖେଳ

ଅଷ୍ଟ୍ରେଲିଆ ସେମିଫାଇନାଲ ନିକଟତର

ନଟିଂହାମ,୨୧।୬ (ପି.ଟି.)- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଅଷ୍ଟ୍ରେଲିଆ ଗୁରୁବାର ଅନୁଷ୍ଠିତ ଟୁର୍ନାମେଣ୍ଟର ୨୬ତମ ମ୍ୟାଚ୍‌ରେ ବାଂଲାଦେଶକୁ ୪୮ ରନରେ ପରାସ୍ତ କରିଛି। ଟ୍ରେଣ୍ଟ ବିଜ୍‌ରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନରଙ୍କ ଧୂଆଁଧାର ଶତକ (୧୬୬ ରନ, ୧୪୭ ବଲ, ୧୪ ଚୌକା, ୫ ଛକା) ସହାୟତାରେ ୫ ଉଇକେଟ ହରାଇ ୩୮୧ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୮ ଉଇକେଟ ହରାଇ ୩୩୩ ରନରେ ସୀମିତ ରହି ପରାସ୍ତ ହୋଇଛି। ଏଥିସହ ଅଷ୍ଟ୍ରେଲିଆ ୬ଟି ମ୍ୟାଚ ଖେଳି ୫ ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୧୦ ପଏଣ୍ଟ ହାସଲ କରି ନ୍ୟୁଜିଲାଣ୍ଡକୁ ହଟାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ଅନ୍ୟପଟେ ବାଂଲାଦେଶ ୫ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ମ୍ୟାଚ୍‌ ବିଜୟୀ ବୃହତ୍‌ ଶତକୀୟ ଇନିଂସ ପାଇଁ ଓ୍ବାର୍ନର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୩୮୨ ରନ କଷ୍ଟସାଧ୍ୟ ବିଜୟଲକ୍ଷ୍ୟର ପିଛା କରି ବାଂଲାଦେଶ ଲଢ଼େଇ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ୧୦୨ (୯୭ ବଲ, ୯ ଚୌକା, ୧ ଛକା) ରନର ଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଏହା ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ଅନ୍ୟମାନଙ୍କ ମଧ୍ୟରେ ମହମୁଦୁଲ୍ଲା ୬୯ ରନ (୫୦ ବଲ, ୫ଚୌକା, ୩ ଛକା), ଓପନର ତାମିମ ଇକ୍‌ବାଲ ୬୨, ଇନଫର୍ମ ସାକିବ ଅଲ ହାସନ ୪୧, ଲିଟନ ଦାସ ୨୦, ସୌମ୍ୟ ସରକାର ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ସବୀର ରହମାନ ଖାତା ଖୋଲିପାରି ନ ଥିଲେ। ମେହିଦ ହାସନ ମିର୍ଜା ଓ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା ୬ ରନ ଲେଖାଏ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ, ନାଥନ କଲ୍ଟର- ନାଇଲ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏ, ସ୍ପିନର ଆଡାମ ଜାମ୍ପା ଗୋଟିଏ ଉଇକେଟ ହାସଲ କରିଥିଲେ।
ଓ୍ବାର୍ନରଙ୍କ ରେକର୍ଡ
ପୂର୍ବରୁ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ବୃହତ୍‌ ସ୍କୋର କରିଥିଲା। ତାରକା ଓପନର ଡେଭିଡ ଓ୍ବାର୍ନର ଜବରଦସ୍ତ ବ୍ୟାଟିଂର ନମୁନା ପ୍ରଦର୍ଶନ କରି ୧୬୬ ରନର ଶତକୀୟ ଇନିଂସ ଖେଳିଥିଲେ। ସେ କ୍ରିଜ୍‌ରେ ୧୮୪ ମିନିଟ ରହିବା ସହ ୧୪୭ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ଟି ଚୌକା ଓ ୫ଟି ଛକା ମାରି ବାଂଲାଦେଶ ବୋଲରଙ୍କୁ ନିରାଶ କରିଥିଲେ। ଏଥିସହିତ ସେ ଟୁର୍ନାମେଣ୍ଟର ଦ୍ୱିତୀୟ ଓ କ୍ୟାରିୟରର ୧୬ତମ ଶତକ ହାସଲ କରିଛନ୍ତି। ସେ ମଧ୍ୟ ଦିନିକିଆରେ ଷଷ୍ଠଥର ପାଇଁ ୧୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ଓ୍ବାର୍ନର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୦୭ ରନର ଶତକୀୟ ଇନିଂସ ଖେଳିଥିଲେ। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ ଦୁଇଥର ୧୫୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରି ସେ ରେକର୍ଡ କରିଛନ୍ତି।
ଓ୍ବାର୍ନରଙ୍କ ଏହି ଧୂଆଁଧାର ଇନିଂସ ବଲରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୩୮୧ ରନ ସଂଗ୍ରହ କରିଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଓ୍ବାର୍ନର ଓପ୍‌ନିଂ ଯୋଡିରେ ୨୬ ଓଭର ପୂର୍ବରୁ ୧୨୧ ରନ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ତେବେ ଫିଞ୍ଚ୍‌ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ରଥମେ ଆଉଟ ହୋଇଥିଲେ। ସେହିପରି ଉସ୍‌ମାନ ଖ୍ବାଜା ୭୨ ବଲରୁ ୧୦ ଚୌକା ସହ ୮୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ଓ୍ବାର୍ନର ଓ ଖ୍ବାଜା ଧୂଅଁାଧାର ବ୍ୟାଟିଂ କରି ୧୪୧ ବଲରୁ ୧୯୨ ରନ ସଂଗ୍ରହ କରିଥିଲେ। ଟପ୍‌ ଅର୍ଡରର ୩ ବ୍ୟାଟ୍ସମ୍ୟାନ ଓ୍ବାର୍ନର, ଫିଞ୍ଚ୍‌ ଓ ଖ୍ବାଜା ମିଡିୟମ ପେସର ସୌମ୍ୟ ସରକାରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଖ୍ବାଜାଙ୍କ ପୂର୍ବରୁ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ମାତ୍ର ୧୦ ବଲରୁ ୨ ଚୌକା ଓ ୩ ଛକା ସହ ୩୨ ରନ କରି ରୁବେଲ ହୋସେନଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ମାତ୍ର ୧ ରନ କରିଥିବା ବେଳେ ମୁସ୍ତାଫିଜୁର ରହମାନଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଶେଷରେ ମାର୍କସ ଷ୍ଟୋଇନିସ ୧୧ ବଲରୁ ୧୭ ଓ ଉଇକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ୮ ବଲରୁ ୧୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସୌମ୍ୟ ୩ ଓ ମୁସ୍ତାଫିଜୁର ରହମାନ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି। କେବଳ ମେହିଦି ହାସନ ମିରାଜଙ୍କୁ ବାଦ୍‌ ଦେଲେ ବାକି ସବୁ ବୋଲର ଓଭର ପିଛା ୬ରୁ ଊର୍ଦ୍ଧ୍ୱ ରନ ବ୍ୟୟ କରିଥିଲେ। ବାଂଲାଦେଶର ସବୁ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଇନିଂସ ଶେଷହେବାକୁ ଆଉ ଗୋଟିଏ ଓଭର ବାକି ଥିବାବେଳେ ବର୍ଷା ହୋଇଥିଲା ଓ ଖେଳ ବାଧାପ୍ରାପ୍ତ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୩୮୧/୫
(ଓ୍ବାର୍ନର- ୧୬୬, ଖ୍ବାଜା- ୮୯, ଫିଞ୍ଚ୍‌- ୫୩, ମ୍ୟାକ୍ସଓ୍ବେଲ- ୩୨, ସୌମ୍ୟ- ୩/୫୮, ମୁସ୍ତାଫିଜୁର- ୧/୬୯)।
ବାଂଲାଦେଶ ୫୦ ଓଭରରେ ୩୩୩/୮
(ମୁସଫିକର- ୧୦୨*, ମହମୁଦୁଲ୍ଲା- ୬୯, ତାମିମ- ୬୨, ସାକିବ- ୪୧, ଷ୍ଟାର୍କ- ୨/୫୫, କୁଲ୍ଟର ନାଇଲ- ୨/୫୮, ଷ୍ଟୋଇନିସ- ୨/୫୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri