Categories: ଖେଳ

ଅଷ୍ଟ୍ରେଲୀୟ ବୋଲର ମେଗାନଙ୍କ ବିରଳ ରେକର୍ଡ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୨।୯ (ପି.ଟି.)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମେଗାନ ସ୍କଟ୍ଟ ମହିଳା କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ସୀମିତ ଓଭର ଫର୍ମାଟ୍‌ରେ ୨ଟି ହ୍ୟାଟ୍ରିକ ଉଇକେଟ୍‌ ନେବାର ରେକର୍ଡ ସ୍ଥାପନ କରିଛନ୍ତି। ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌ ଅବସରରେ ୨୬ ବର୍ଷୀୟା ସ୍କଟ୍‌ ଏହି ସଫଳତା ପାଇଛନ୍ତି। ଏଥିସହ ପ୍ରଥମ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଭାବେ ଦିନିକିଆ କ୍ରିକେଟ୍‌ରେ ହ୍ୟାଟ୍ରିକ ଉଇକେଟ୍‌ ତାଙ୍କ ନାମରେ ମଧ୍ୟ ଲିପିବଦ୍ଧ ହୋଇଛି। ଏହି ମ୍ୟାଚ୍‌ରେ ସ୍କଟ୍‌ ୯ ଓଭର ବୋଲିଂ କରିଥିଲେ ମଧ୍ୟ ଉଇକେଟ୍‌ଶୂନ୍ୟ ରହିଥିଲେ। ତେବେ ନିଜର ୧୦ମ ତଥା ଓ୍ବେଷ୍ଟଇଣ୍ଡିଜ ଇନିଂସ ୫୦ତମ ଓଭର ବୋଲିଂ କରିବାକୁ ଆସିଥିବା ମେଗାନ ଶେଷ ୩ ବଲରେ ଉଇକେଟ୍‌ ହାସଲ କରି ନିଜର ହ୍ୟାଟ୍ରିକ ପୂରଣ କରିଥିଲେ। ସେ ଯଥାକ୍ରମେ ସିନେଲ ହେନରୀ, କରିଶ୍ମା ରାମହରକ ଓ ଏଫି ଫ୍ଲେଚରଙ୍କୁ ତାଙ୍କ ଶିକାର ବନାଇଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ୧୮୦ରେ ଅଲ୍‌ଆଉଟ୍‌ ହୋଇଥିବାବେଳେ ଅଷ୍ଟ୍ରେଲିଆ ୮ ଉଇକେଟ୍‌ରେ ଜିତି ସିରିଜକୁ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ଏହି ଡାହାଣହାତୀ ଦ୍ରୁତ ବୋଲର ପୂର୍ବରୁ ଗତବର୍ଷ ମାର୍ଚ୍ଚରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଭାରତ ବିପକ୍ଷ ଏକ ଟି୨୦ ମ୍ୟାଚ୍‌ରେ ହ୍ୟାଟ୍ରିକ ନେଇଥିଲେ। ସେତେବେଳେ ଓପନର୍‌ ସ୍ମୃତି ମନ୍ଧାନା, ଅଧିନାୟିକା ମିଥାଲି ରାଜ ଓ ଦୀପ୍ତି ଶର୍ମାଙ୍କ ଉଇକେଟ୍‌ ନେଇ ସେ ହ୍ୟାଟ୍ରିକ ସଫଳତା ପାଇଥିଲେ।

Share