ଅସଜଡା କେଶ, ଭୟଙ୍କର ଆଖି: କ୍ୱାରାଣ୍ଟାଇନ୍‌ରେ ରଣବୀର

ମୁମ୍ବାଇ: କରୋନା ଭାଇରସ୍‌ କବଳରେ ଏପର୍ଯ୍ୟନ୍ତ ୧୮୮ ଦେଶ ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ ବିରୋଧରେ ସାରା ବିଶ୍ୱର ସଂଘର୍ଷ ଜାରି ରହିଛି। ଏଭଳି ସ୍ଥିତିରେ କେତେକ ଲୋକ କରୋନା ସଂକ୍ରମଣରୁ ଭୟଭୀତ ହୋଇ ନିଜକୁ କ୍ୱାରାଣ୍ଟାଇନ୍‌ରେ ରଖୁଥିବା ଦେଖିବାକୁ ମିଳିଛି। କରୋନା ମୁକାବିଲା ଲାଗି ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଘରେ ଏକୁଟିଆ ରହି ସମୟ ଅତିବାହିତ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେବା ସହ ନିଜେ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି। କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଘରେ ବସି ବିରକ୍ତି ହୋଇଗଲେଣି। କିନ୍ତୁ ନିଜ ଓ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେମାନେ ଘରେ ରହି ସମୟ କାଟୁଛନ୍ତି। ଇତିମଧ୍ୟରେ ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଯାଉଥିବା ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ଏକ ମଜାଳିଆ ପୋଷ୍ଟ ସାମ୍ନାକୁ ଆସିଛି। ଏଥିରେ ରଣବୀରଙ୍କ ଲମ୍ବା ଓ ଅସଜଡା କେଶ ସହ ଭୟଙ୍କର ଆଖି ଦେଖିବାକୁ ମିଳିଛି। ରଣବୀର ଏହି ଫଟୋକୁ ଶେୟାର କରିବା ସହ କ୍ୟାପଶନ୍‌ରେ ଲେଖିଛନ୍ତି, ଯେତେବେଳ ଆପଣ କ୍ୱାରାଣ୍ଟାଇନ୍‌ରୁ ବାହାରକୁ ଆସିବେ ସେତେବେଳେ ଏଭଳି ଦେଖାଯିବେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରଣବୀରଙ୍କ ଏହି ଫଟୋକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିବା ବେଳେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

Share