ଅସଦାଚରଣ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି: ଥାନା ଆଗରେ ଛାତ୍ରୀଙ୍କ ବିକ୍ଷୋଭ, ରାସ୍ତା ଅବରୋଧ

ରାଇରଙ୍ଗପୁର,୫ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଜନୈକା କଲେଜ ଛାତ୍ରୀ ଟ୍ୟୁଶନ ଯାଇଥିବାବେଳେ ମଙ୍ଗଳବାର ଜଣେ କମ୍ପ୍ୟୁଟର ଶିକ୍ଷକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ବୁଧବାର ଏହି ଘଟଣା ଭିନ୍ନମୋଡ଼ ନେଇଥିବା ଦେଖିବାକୁ ମିଳିଥିଲା। କଲେଜର ଅନ୍ୟ ଛାତ୍ରୀମାନେ ସମ୍ପୃକ୍ତ କମ୍ପ୍ୟୁଟର ଶିକ୍ଷକ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି। ଛାତ୍ରୀମାନେ ଘଟଣାର ନିରପେକ୍ଷ ତଦନ୍ତ ଦାବିକରି ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସ୍ଥାନୀୟ ଅତିରିକ୍ତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖ ୨୨୦ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ପ୍ରାୟ ୨ ଘଣ୍ଟା ଧରି ରାସ୍ତା ଅବରୋଧ ଚାଲିବାରୁ ଗାଡ଼ି ମୋଟର ଚଳାଚଳ ବ୍ୟାହତ ହୋଇଥିଲା। ଟାଉନଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଏବଂ କଲେଜର ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। କୋର୍ଟରେ ତାଙ୍କର ଜାମିନ ଆବେଦନ ନାକଚ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୀଡିତା ଛାତ୍ରୀଙ୍କୁ ମଧ୍ୟ ପୋଲିସ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ହାଜର କରାଇ ତାଙ୍କ ବୟାନ ରେକର୍ଡ କରାଇଛି।