ଅସନ୍ତୁଳିତ ଜୀବନଶୈଳୀ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ଅନୁସରଣ କରିବା ପ୍ରାୟ କଷ୍ଟକର। କାରଣ ନିଜ କାର୍ଯ୍ୟକୁ ନେଇ ଅନେକେ ଏତେ ବ୍ୟସ୍ତ ଯେ ସେମାନେ ନିଜର ଶରୀର ପ୍ରତି ଠିକ୍‌ ନଜର ଦେଇପାରି ନ ଥାନ୍ତି। ଫଳରେ ସେମାନେ ଏଥିପାଇଁ କେତେକ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ପ୍ରଥମେ ନିଜ ଖାଦ୍ୟପେୟକୁ ସନ୍ତୁଳିତ ରଖନ୍ତୁ। ଫାଷ୍ଟଫୁଡ୍‌ ଏବଂ ତେଲଜାତୀୟ ଖାଦ୍ୟଠାରୁ ନିଜକୁ ଯେତେ ଦୂରେଇ ରଖିବେ ତାହା ସେତେ ଭଲ। ପ୍ରତିଦିନ ସକାଳର କିଛି ସମୟ ବ୍ୟାୟାମ ପାଇଁ ରଖିଲେ ତାହାର ସୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ। ଏହାସହ ଜୀବନ ତାଲିକାରେ ଯୋଗ, ପ୍ରାଣାୟାମକୁ ସାମିଲ କରନ୍ତୁ। ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୁଅନ୍ତୁ। ଦୈନନ୍ଦିନ ଖାଦ୍ୟରେ ସବୁଜ ପନିପରିବା, ତଟକା ଫଳମୂଳ ସାମିଲ କରନ୍ତୁ। ସବୁଠାରୁ ଖାସ୍‌ କଥା ହେଲା ବ୍ୟସ୍ତତା ସତ୍ତ୍ୱେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇନିଅନ୍ତୁ।