ଅସମାହିତ ପ୍ରଶ୍ନ

ଖୋର୍ଦ୍ଧାରେ ବିସ୍ତାର ଲାଭ କରିଆସିଛି ଖଣି ଓ ଡ୍ରଗ୍ସ ମାଫିଆଙ୍କ ବ୍ୟବସାୟ। କେଇଟା ମାସ, ବର୍ଷ ଭିତରେ ସେମାନଙ୍କୁ କୋଟିପତି ଓ ଲକ୍ଷପତି କରି ପକାଇଛି। ବ୍ୟବସାୟକୁ ବଞ୍ଚାଇବା ପାଇଁ ରାଜନୈତିକ ଓ ପ୍ରଶାସନିକ ଢାଲ ସୃଷ୍ଟି କରାଯାଇଥିଲା। ମାସିକ କୋଟା ଓ ଉପହାର ପୋଲିସ ଏବଂ ଅବକାରୀ ବିଭାଗ ମୁହଁରେ ତାଲା ଝୁଲାଇ ଦେଇଥିଲା। ଟିକିଏ ଟିକିଏ କଥାରେ ଫୁଟୁଥିଲା ଗୁଳି, ବୋମା, ବୁଲୁଥିଲା ଭୁଜାଲି ଓ ମାରଣାସ୍ତ୍ର। ଅଭିଯୋଗ କରୁଥିଲେ ମିଳୁ ନ ଥିଲା ସୁଫଳ। ଏଭଳିସ୍ଥଳେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର ଓ ଅଭିଯୁକ୍ତଙ୍କୁ ଗିରଫଦାରି ପୋଲିସ, ଅବକାରୀ ଓ ପ୍ରଶାସନର ସ୍ବଚ୍ଛତାକୁ ପଦାରେ ପକାଇଥିଲା। ଏହି ଘଟଣାରେ ଗିରଫ ଓ ଏନ୍‌କାଉଣ୍ଟର ସଂଖ୍ୟା ବଢ଼ିଚାଲିଥିଲାବେଳେ ଖୋର୍ଦ୍ଧାର ନିଶା ସାମ୍ରାଜ୍ୟର ଅଭିଯୁକ୍ତ ସୁଧାଂଶୁ ପରିଡ଼ା ଓରଫ୍‌ ଛୋଟା ଆମତ୍ସମର୍ପଣ କରି ଜେଲ ଯିବା ଘଟଣା ଚର୍ଚ୍ଚାରେ ରହିଛି। ଛୋଟା ଆମତ୍ସମର୍ପଣ ବେଳେ କୋର୍ଟରେ ଓକିଲ ଓ ଏସ୍‌ଟିଏଫ୍‌ଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରେ ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରରେ ସରକାରୀ ଜମିରେ ଥିବା ଛୋଟାର କୋଟିଏ ଟଙ୍କାର ଘର ଉଚ୍ଛେଦ ବି ହୋଇଛି। ଏସ୍‌ଟିଏଫ୍‌ର ଚଢ଼ାଉ ପରେ ବେଆଇନ କଳାମୁଗୁନି ପଥର ଖଣିରେ ଲଗାମ ଲାଗିଥିଲେ ହେଁ ଡ୍ରଗ୍ସ କାରବାର ରୋକିବାରେ ସକ୍ଷମ ହୋଇପାରିନାହିଁ। ବ୍ରାଉନସୁଗାର କାରବାର ରୋକିବାକୁ ଖୋର୍ଦ୍ଧା ସ୍ବପ୍ନେଶ୍ୱର ସାହିର ମହିଳା ଅଣ୍ଟା ଭିଡ଼ିଛନ୍ତି। ଏହି ଦୁଇ କାରବାରରେ କେତେଜଣ ପ୍ରତିଷ୍ଠିତ ଲୋକଙ୍କ ସମ୍ପୃକ୍ତି ଥିବାରୁ ଘଟଣା ଶୀତଳଭଣ୍ଡାରକୁ ଫୋପାଡ଼ିବାର ଉଦ୍ୟମ ଚାଲିଛି। ସେହିଭଳି ଜିଲାରେ ଘଟିଥିବା ଆଉ କିଛି ସମ୍ବେଦନଶୀଳ ଘଟଣା ଚିନ୍ତା ସୃଷ୍ଟି କରିଛି। ଭୁବନେଶ୍ୱରର ଏକ ସରକାରୀ ଛାତ୍ରୀ ନିବାସରେ ୪ଜଣ ନାବାଳିକା ଛାତ୍ରୀ ଗର୍ଭବତୀ ହେବାର ଖବର ବିଧାନସଭାରେ ଝଡ଼ ସୃଷ୍ଟି କରିଥିଲା। ଏଭଳି ଘଟଣା ଜିଲାକୁ ବଦନାମ କରିଥିବାବେଳେ ରାଜ୍ୟର ସରକାରୀ ଛାତ୍ରୀନିବାସର ଅନ୍ତେବାସୀ କେତେ ଅସୁରକ୍ଷିତ ତାହା ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଛି। କିନ୍ତୁ ଏଭଳି ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ କିଛି ପଦକ୍ଷେପ ନିଆଯାଇପାରିଲାନାହିଁ। ଚିନ୍ତା ବଢ଼ିଲା ଭଳି ଆଉ ଏକ ଘଟଣା ହେଲା ୬୦ ବର୍ଷର କୀଟନାଶକ ଜଟଣୀସ୍ଥିତ ମାର୍କଫେଡ୍‌ ଗୋଦାମର ଗର୍ତ୍ତରେ ପୋତାଯିବା। ଏଗୁଡ଼ିକ ଏକ୍ସପାଏରୀ ହୋଇଥିଲେ ମଧ୍ୟ ମାଟିରେ ପୋତିଲେ ଏହାର ଭୟାବହତା କ’ଣ ହେବ ତା’ର ସମୀକ୍ଷା କରାଯାଇ ନ ଥିଲା। ବର୍ଷା ପରେ ପୋତା ଯାଇଥିବା କୀଟନାଶକର ପ୍ରଭାବ ପଡ଼ିଲା କି ନାହିଁ ତା’ର ମଧ୍ୟ ସମୀକ୍ଷା ହୋଇ ନ ଥିଲା। କୀଟନାଶକ ପୋତାଯିବା ପରେ ଜଟଣୀ ସହରର ୧୧ ନମ୍ବର ୱାର୍ଡର ଜଳ ଜହର ପାଲଟିଯାଇଛି। ଏଭଳି ବହୁ ଅସମାହିତ ପ୍ରଶ୍ନ ଓ ଘଟଣା ରହିଛି, ଯାହା ଜିଲାବାସୀଙ୍କୁ ଦୁଃଖ ଦେଇଚାଲିଛି। ଲୋକେ କେବଳ ଅପେକ୍ଷା କରି ରହିଛନ୍ତି କେବେ ନ୍ୟାୟ ମିଳିବ, କାର୍ଯ୍ୟାନୁଷ୍ଠାନ ହେବ ଏବଂ ପରିବର୍ତ୍ତନର ସୂର୍ଯ୍ୟ ଉଇଁବ।
– ଲୋକନାଥ ମିଶ୍ର

Share