ଅସମ୍ପୂର୍ଣ୍ଣ ଘର ଆଗରେ ପ୍ରଶାସକଙ୍କ ଧାରଣା

କାମାକ୍ଷାନଗର, ୨୯।୧(ଡି.ଏନ.ଏ.) – ଆବାସ ଯୋଜନାରେ ପୁଳାପୁଳା ଦୁର୍ନୀତିକୁ ନେଇ ନିନ୍ଦିତ ହେଉଛି ଢେଙ୍କାନାଳ ଜିଲା ପ୍ରଶାସନ। ବିଶେଷ କରି ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକରେ ଏହା ସୀମା ଟପିଛି। ହେଲେ କାମାକ୍ଷାନଗର ବ୍ଲକରୁ ଏହାର ଓଲଟା ଚିତ୍ର ପଦାକୁ ଆସିଛି। ପ୍ରଶାସନିକ ସହଯୋଗ ସତ୍ତ୍ୱେ ନିର୍ଦ୍ଧାରିତ ସମୟ ସୀମା ଟପିଯାଇଥିଲେ ମଧ୍ୟ କାମ ଶେଷ କରୁନାହାନ୍ତି ହିତାଧିକାରୀ। ଏହାର ପ୍ରତିବାଦରେ ବିଡିଓ ଏବଂ ଜନ ପ୍ରତିନିଧିମାନେ ଏକାଠି ହୋଇ ଗୃହ କାର୍ଯ୍ୟ ସାରିବାରେ ଅବହେଳା କରୁଥିବା ହିତାଧିକାରୀଙ୍କ ଘର ସମ୍ମୁଖରେ ମଙ୍ଗଳବାର ପ୍ରତୀକାତ୍ମକ ଧାରଣା ଦେଇଛନ୍ତି, ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା।
ସୂଚନାଯୋଗ୍ୟ, କାମାକ୍ଷାନଗର ବ୍ଲକରେ ଗ୍ରାମୀଣ ଆବାସ ଯୋଜନାରେ ୨୦୧୯ ବର୍ଷରେ ୫୦୫ ଏବଂ ୨୦୨୦ ବର୍ଷଲାଗି ୧୧୬୨ ଗୃହ ନିର୍ମାଣ ଲାଗି ଲକ୍ଷ୍ୟ ରଖାଯାଇଛି। ମୋଟ ୧୬୬୭ ଗୃହ ମଧ୍ୟରୁ ୧୦୩୯ଟି ସମ୍ପୂର୍ଣ୍ଣ ହୋଇଛି। ୬୨୮ ଘରକାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ତନ୍ମଧ୍ୟରୁ କେବଳ ତୁମୁସିଙ୍ଗା ପଞ୍ଚାୟତରେ ସର୍ବାଧିକ ୧୨୭ ହିତାଧିକାରୀଙ୍କ ଘର ଅଧାପନ୍ତରିଆ ଅବସ୍ଥାରେ ରହିଛି। ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ତାଗିଦ୍‌, ଅନୁରୋଧ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ।

Share