ଭୁବନେଶ୍ୱର,୧୧ା୪(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଅସ୍ତବ୍ୟସ୍ତ । ସକାଳ ହେବା ମାତ୍ରେ ମାଡ଼ିଆସୁଛି ତତଲା ପବନ। ଅପରାହ୍ନ ୫ଟା ଯାଏ ନିସ୍ତାର ନାହିଁ। ଜଳିପୋଡ଼ି ଯାଉଛି ଦେହମୁଣ୍ଡ । ତାତିର ପ୍ରକୋପରେ ମଣିଷଠାରୁ ଜୀବଜନ୍ତୁ ସମସ୍ତେ କଲବଲ ହେଉଛନ୍ତି। ଗତ କିଛିଦିନ ହେବ ସମଗ୍ର ରାଜ୍ୟ ସତେଯେମିତି ତତଲା ତାଓ୍ବାରେ ସିଝୁଛି।
ପାରଦ ୪୧ଡିଗ୍ରୀ ପାରହୋଇଛି। ମଙ୍ଗଳବାର ରାଜ୍ୟର ୯ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ବାରିପଦାରେ ସର୍ବାଧିକ ୪୧.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁୁଗୁଡ଼ା ୪୧.୨, ଭୁବନେଶ୍ୱର ୪୦.୭, ସମ୍ବଲପୁର ୪୦.୮, କଟକ ୪୦, ଅନୁଗୋଳ ୪୦.୧, ସୁନ୍ଦରଗଡ଼ ୪୦, ଟିଟିଲାଗଡ଼ ୪୦.୫, ବୌଦ୍ଧ ୪୦.୫, ସୋନପୁର ୩୯.୭, ନୟାଗଡ଼ ୩୯, ପାରଳାଖେମୁଣ୍ଡି ୩୯.୭, ଭଦ୍ରକ ୩୯, ଢେଙ୍କାନାଳ ୩୯, ଜଗତ୍ସିଂହପୁର ୩୯ ଏବଂ ରାଉରକେଲାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
ଏଭଳି ଉତ୍ତପ୍ତ ପରିବେଶ ଆସନ୍ତା ୧୫ ତାରିଖ ଯାଏ ଜାରି ରହିବ।