ଅସହାୟ ଟିକିଲିଙ୍କୁ ମିଳିଲା ନୂଆ ଜୀବନ

ଘସିପୁରା,୧୯।୧୦(ଡି.ଏନ.ଏ.)- ଟିକିଲି ଜେନା(୨୬) ନାମ୍ନୀ ଜଣେ ଅସହାୟ ମାନସିକ ଅନଗ୍ରସର ଯୁବତୀ ଦୁର୍ଘଟଣାର ଶିକାର ହେବା ପରେ ଉପଯୁକ୍ତ ଚିକିତ୍ସାସେବା ନ ପାଇ ୮ ମାସ ଧରି ମୃତ୍ୟୁସହ ସଂଗ୍ରାମ କରୁଥିଲେ। ତାଙ୍କ ବାମ ହାତ ଭାଙ୍ଗିଥିବାରୁ ଏହା ସଂକ୍ରମିତ ହୋଇ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା। ଏଭଳି ପରିସ୍ଥତିରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ଖବରପାଇ ସମାଜସେବୀ ଦେବରାଜ ସାହୁ ତାଙ୍କୁ ଆଣି ଚିକତ୍ସ ବ୍ୟବସ୍ଥା କରାଇଥିଲେ। ପରେ ଅନ୍ୟ କେତେକ ବଦାନ୍ୟ ବ୍ୟକ୍ତି ଆଗେଇ ଆସି ଆର୍ଥିକ ସହାୟତା ଯୋଗାଇବାରୁ ଶୁକ୍ରବାର ସ୍ଥାନୀୟ ଏକ ଘରୋଇ ଚିକତ୍ସାଳୟରେ ତାଙ୍କ ଭଙ୍ଗା ହାତରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହାଫଳରେ ଟିକିଲିଙ୍କୁ ଏକ ନୂଆ ଜୀବନ ମିଳି ପାରିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ଟିକିଲିଙ୍କ ଘର କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଜଅଁରା ଅଞ୍ଚଳରେ । ତାଙ୍କ ମା’ ବାପାଙ୍କ ମୃତ୍ୟୁ ପରେ ସେ ମାନସିକ ଭାରସ୍ୟାମ ହରାଇବସିଥିଲେ। ପରେ ଦୁର୍ଘଟଣାର ଶିକାର ହେବାରୁ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ଦୀର୍ଘଦିନ ଧରି ଏହି ଅସହାୟ ଯୁବତୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଟିକିଲିଙ୍କ ପକ୍ଷେ ଚିକିତ୍ସାସେବା ପାଇବା ସମ୍ଭବ ନ ଥିଲା। ସମାଜସେବୀ ଦେବରାଜ ପ୍ରଥମେ ଟିକିଲିଙ୍କୁ ଆଣି ଡାକ୍ତରଙ୍କୁ ଦେଖାଇବା ପରେ ଏକ ବଡ଼ ଧରଣର ଅସ୍ତ୍ରୋପଚାର ଦରକାର ବୋଲି ଜଣାପଡିଥିଲା। ଏଥିଲାଗି ଦେଖାଦେଇଥିଲା ଅର୍ଥାଭାବ । ଏ ନେଇ ସୋସିଆଲ ମିଡିଆରେ ପ୍ରଚାର ହେବାପରେ ବହୁ ବଦାନ୍ୟ ବ୍ୟକ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ସାହାଯ୍ୟର ହାତ ବଢାଇଥିଲେ। ଶେଷରେ ଶୁକ୍ରବାର ଏଠାକାର ଏକ ଘରୋଇ ଡାକ୍ତରଖାନାରେ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚରେ ଟିକିଲିଙ୍କ ହାତରେ ସଫଳ ଅସ୍ତ୍ରୋପଚାର କରାଯାଇ ପାରିଛି। ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ରଶ୍ମି ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଅସ୍ତ୍ରୋପଚାର କରାଯାଇଛି। ଉଦଳା ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ପ୍ରାଚୀପ୍ରଜ୍ଞା ସାହୁ, ମଧୁସ୍ମିତା ହେମ୍ବ୍ରମ, ସ୍ବେଚ୍ଛାସେବୀ ପ୍ରମୋଦ ନାୟକ, ପ୍ରକାଶ ବାରିକ, ଅରବିନ୍ଦ ପାତ୍ର, ସତ୍ୟଶଙ୍କର ମିଶ୍ର ପ୍ରମୁଖ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା କରିଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।