ଅସହାୟ ଭାବେ ବିତୁଛି ଜୀବନ

ଆରଡି, ୨।୧୦ (ଡି.ଏନ.ଏ)-ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ମୋଡ଼ ା ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଜଣେ ଦଳିତ ଯୁବକଙ୍କ ଲାଗି ସବୁକିଛି ଅନ୍ଧାର ପାଲଟିଗଲା ା ଚାକିରି ଓ ରୋଜଗାର କରି ଯେଉଁ ମା’ଙ୍କୁ ପୋଷିବା ଲାଗି ସେ ମନସ୍ଥ କରିଥିଲେ, ଏବେ ମା’ଙ୍କ ହାତଟେକାକୁ ସେ ଚାହିଁ ବସୁଛନ୍ତି।
ଏହି ଯୁବକ ହେଲେ ସୁଧାକର ଜେନା ଓରଫ ଠକରା(୨୪)। ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ କୁଳେଇପଦା ଗାଁରେ। ପରିବାରର ଆର୍ଥିକ ଅନଟନ ସତ୍ତ୍ୱେ ସେ ସଂଘର୍ଷ କରି ଯୁକ୍ତ ୨ ଶ୍ରେଣୀଯାଏ ପାଠ ପଢିଥିଲେ। ଏହାପରେ ତାଙ୍କ ପାଠପଢାରେ ଡୋରି ଲାଗି ଯାଇଥିଲା। ଘରର ଆର୍ଥିକ ଅନଟନକୁ ସୁଧାରିବା ଲାଗି ୩ ବର୍ଷ ତଳେ ସେ ବାଙ୍ଗାଲୁରୁ ଚାଲି ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ କାମକରି ଗୁଜୁରାଣ ମେଣ୍ଟାଉଥିଲେ। ପରିବାର କହିଲେ ମା’ ଜୟନ୍ତୀଙ୍କ ସହ ରହନ୍ତି। କିଛିବର୍ଷ ତଳେ ପାରିବାରିକ କଳିରୁ ତାଙ୍କ ପିତା ପରିବାରଠାରୁ ଦୂରେଇ ଯାଇଛନ୍ତି। ବାଙ୍ଗାଲୁରୁରେ କାମ କରି ଘରକୁ ଫେରିଥିବା ବେଳେ ଗତ ମାର୍ଚ୍ଚ ୮ ତାରିଖରେ ନିଜ ଗାଁର ଜଣେ ଯୁବକଙ୍କ ସହ ସେ ଆରଡି ଯାଉଥିଲେ। ବାଟରେ ଅନ୍ୟ ଏକ ବାଇକ ସହ ଧକ୍କା ହେବାରୁ ସୁଧାକରଙ୍କର ମୁଣ୍ଡ, ଛାତି, ହାତ ଓ ଆଖିରେ ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ଡାକ୍ତରଖାନା ଯାଇଥିଲେ। ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହୋଇଥିଲେ ା ଜମିବାଡି, ଜିନିଷ ପତ୍ର ବିକି ସୁଧାକରଙ୍କ ଚିକିତ୍ସା କରାଯିବା ସତ୍ତ୍ୱେ ତାଙ୍କ ଡାହାଣ ଆଖି ନଷ୍ଟ ହୋଇଗଲା। ବାମ ହାତକୁ ଅସ୍ତ୍ରୋପଚାର କରାଯାଇ ଲୁହା ପାତିଆ ଲଗାଗଲା। କେବଳ ସେତିକି ନୁହେଁ ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେ ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଅର୍ଥାଭାବରୁ ଅଧିକ ଚିକିତ୍ସା କରାଯାଇ ନ ପାରିବାରୁ ସେ ଗାଁକୁ ଫେରି ଏକ ଭଙ୍ଗା ଝାଟିମାଟି ଘରେ ଦିନ କାଟୁଛନ୍ତି। ଏବେ ଔଷଧ ଓ ଚିକିତ୍ସା ବାବଦକୁ ଦରକାର ହେଉଛି ମାସିକ ପ୍ରାୟ ୮ ହଜାର ଟଙ୍କା ା ମା’ ଜୟନ୍ତୀ ପୁଅର ଚିକିତ୍ସା ପାଇଁ ପର ଲୋକଙ୍କ ବିଲବାଡିରେ ମୂଲ ଲାଗି ସଂଘର୍ଷ ଜାରି ରଖିଛନ୍ତି। କାଳେ କିଛି ସରକାରୀ ସହାୟତା ମିଳିବ ଏଥିଲାଗି ଅନେକଙ୍କୁ ଗୁହାରି କରି ସାରିଲେଣି। ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ସୁଧାକରଙ୍କ ଚିକିତ୍ସା କରି ତାଙ୍କୁ ସୁସ୍ଥ କରିବା ଆଶାରେ ସେ ଚାହିଁ ବସିଛନ୍ତି। ଏଥିଲାଗି ସରକାରଙ୍କୁ ସେ ଆକୁଳ ନିବେଦନ କରିଛନ୍ତି।