ଅସହାୟ ମନ୍ମଥଙ୍କୁ ମିଳିଲା ପକ୍କାଘର

ବନ୍ତ, ୨୭।୬(ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ବାଲିଗଢିଆ ଗ୍ରାମର ଅସହାୟ ଭିନ୍ନକ୍ଷମ ମନ୍ମଥ ବିଶ୍ୱାଳଙ୍କ ଗୁହାରି ଶେଷରେ ପ୍ରଶାସନ ଶୁଣିଲା। ଦୀର୍ଘବର୍ଷ ଧରି ସଂଗ୍ରାମ କରିବା ପରେ ତାଙ୍କୁ ପକ୍କାଘରଟିଏ ମିଳିଥିବାର ଜଣାଯାଇଛି। ପ୍ରକାଶ ଯେ, ଏହି ଗ୍ରାମର ପ୍ରଫୁଲ୍ଲ ବିଶ୍ୱାଳଙ୍କ ଦୃଷ୍ଟିହୀନ ପୁଅ ମନ୍ମଥ ୨୦୦୬ ମସିହା ଡିସେମ୍ବରରେ ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିଲେ। ମାତ୍ର ତାଙ୍କୁ ସେତେବେଳେ ଅଗ୍ରିମ ଅର୍ଥ ମିଳି ନ ଥିଲା। ଫଳରେ ସେ ଘର ତିଆରି କରି ପାରି ନ ଥିଲେ। ନିୟମ ଅନୁଯାୟୀ ଯେଉଁ ହିତାଧିକାରୀ ଘର ତିଆରି କରି ନ ପାରିବେ ସେମାନଙ୍କୁ ନୂଆ କାର୍ଯ୍ୟାଦେଶ ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା। ସେ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ନୂତନ କାର୍ଯ୍ୟାଦେଶ ପାଇଁ ଆବେଦନ କରିଥିଲେ। ୧୩ ବର୍ଷ ମଧ୍ୟରେ ସେ ବହୁବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଘରଟିଏ ପାଇବା ପାଇଁ ଆବେଦନ କରିଥିଲେ। ଏପରିକି ଏ ନେଇ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଶେଷରେ ସେ ଗତ ତା ୨୦।୩।୨୦୧୭ ରିଖରେ ଡବ୍ଲ୍ୟୁପି(ସି) ନମ୍ବର ୪୨୭୮/୨୦୧୭ ମୂଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ସମ୍ପୃକ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୧୫ ଦିନ ମଧ୍ୟରେ ଘର ଯୋଗାଇଦେବାକୁ ଭଦ୍ରକ ଜିଲାପାଳ, ଉପଜିଲାପାଳ ଓ ବନ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଘର ଖଣ୍ଡିଏ ନ ଥିବାରୁ ସେହି ଚିନ୍ତାରେ ମନ୍ମଥଙ୍କ ସ୍ତ୍ରୀଙ୍କର ୨୦୧୮ ଏପ୍ରିଲ ୩ ତାରିଖରେ ପରଲୋକ ଘଟିଥିଲା। ପରେ ମନ୍ମଥ ୨୦୧୮ ଏପ୍ରିଲ ୧୮ ତାରିଖରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେତେବେଳେ ବିଡିଓ ତାଙ୍କୁ ତୁରନ୍ତ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ମଙ୍ଗଳବାର ତାଙ୍କୁ ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। କାର୍ଯ୍ୟାଦେଶ ପାଇବା ପରେ ସେ ଏବେ ଖୁସି ଥିବା ସହ ଖୁବ୍‌ଶୀଘ୍ର ଘର କାମ ଆରମ୍ଭ କରିବେ ବୋଲି ମନ୍ମଥ କହିଛନ୍ତି।