Advertisement

ଅସହାୟ ଶ୍ରମିକ ପରିବାରକୁ ମିଳୁନି ଖାଦ୍ୟ

ବରଗଡ଼ ଅଫିସ୍‌,୩୧।୩-କରୋନା ପ୍ରତିହତ ପାଇଁ ଲକ୍‌ ଡାଉନ୍‌ କଟକଣା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ତେବେ ଏଭଳି ସ୍ଥିତିରେ ମୁଖ୍ୟତଃ ଗରିବ, ଅସହାୟ ଲୋକେ ଅଡ଼ୁଆରେ ପଡ଼ିଛନ୍ତି । ସେମାନଙ୍କୁ ଭଲଭାବେ ମୁଠାଏ ଖାଇବାକୁ ମିଳୁ ନାହିଁ । ବରଗଡ଼ ସହରର ଆଶାକିରଣ ନିକଟ ଆଇସ୍‌ ଫ୍ୟାକ୍ଟ୍ରି ପାଖରେ ୫ଜଣ ଏବଂ ସମ୍ବଲପୁର ଜିଲା ଗୋଲଗୁଣ୍ଡା ନିକଟ ଇଟା ଫ୍ୟାକ୍ଟ୍ରି ଓ ସ୍କ୍ରାପ୍‌ ଦୋକାନରେ ୩୬ଜଣ ଶ୍ରମିକ ନିଜ ପିଲାଛୁଆଙ୍କ ସହିତ ଫସି ରହିଥିବା ସୂଚନା ମିଳିଛି । ଆଶାକିରଣ ପାଖରେ ଫସି ରହିଥିବା ଶ୍ରମିକମାନେ ଝାରବନ୍ଧ ବ୍ଲକ ଜଟେଶିରା ଅଞ୍ଚଳର ହୋଇଥିବାବେଳେ ଗୋଲଗୁଣ୍ଡାରେ ଫସିଥିବା ଶ୍ରମିକମାନେ ସୁନ୍ଦରଗଡ଼ ଓ ଉତ୍ତରପ୍ରଦେଶ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ସୂଚନା ପାଇବା ପରେ ବରଗଡ଼ର ସାମାଜିକ କର୍ମୀ ରଞ୍ଜିତା ପ୍ରିୟଦର୍ଶିନୀ ସେମାନଙ୍କୁ ଖାଦ୍ୟ ଯୋଗାଣ ସହିତ ଅନ୍ୟ ବିହିତ ପଦକ୍ଷେପ ନେବା ପାଇଁ ଯଥାକ୍ରମେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଆଇଜି ଅମିତାଭ ଠାକୁରଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share