Categories: ଜାତୀୟ

ଅସହିଷ୍ଣୁତା ଏବଂ ଭିଡ଼ହିଂସା ସମାଜ ଓ ରାଜନୀତି ପାଇଁ ଘାତକ ସାଜିଛି: ମନମୋହନ ସିଂ

ନୂଆଦିଲ୍ଲୀ,୨୦।୮: ଦେଶରେ ସମ୍ପ୍ରତି ଅସହିଷ୍ଣୁତା, ସାମ୍ପ୍ରଦାୟିକ ଭେଦଭାବ ଏବଂ ଭିଡ଼ହିଂସା ଭଳି ଘଟଣା ବଢ଼ିଚାଲିଛି। ଏହା ସମାଜ ଓ ରାଜନୀତି ଉଭୟ ପାଇଁ ଘାତକ ସାଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେଇ ଏହା କହିଛନ୍ତି। ଏକ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ନେଇ ମନମୋହନ କ୍ଷୋଭ ପ୍ରକାଶ କରିଛନ୍ତି। ରାଜୀବ ଗାନ୍ଧୀ ଶାନ୍ତି, ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବକୁ ଗୁୁରୁତ୍ୱ ଦେଉଥିବା ସେ କହିଛନ୍ତି। ତେଣୁ ସମାଜରେ ପରସ୍ପର ମଧ୍ୟରେ ଘୃଣା ଏବଂ ଭେଦଭାବ ସୃଷ୍ଟି କରୁଥିବା କାର୍ଯ୍ୟଠାରୁ ଦୂରେଇ ରହିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ଭାରତ ଅବିଭାଜ୍ୟ ଏବଂ ଧର୍ମନିରପେକ୍ଷତା ହେଉଛି ଏହାର ମୂଳ ଆଧାର। ତେବେ କିଛି ବାହ୍ୟ ଏବଂ ଆଭ୍ୟନ୍ତରୀଣ ବିଦ୍ୱେଷ ସୃଷ୍ଟିକାରୀ ଶକ୍ତି ଦେଶର ମୂଳ ଅଧାରକୁ ଦୋହଲାଇବାର ଅପପ୍ରୟାସ କରୁଥିବା ମନମୋହନ କହିଛନ୍ତି।

Share