Categories: ବାଣିଜ୍ୟ

ଅସହିଷ୍ଣୁତା ବୃଦ୍ଧି ଯୋଗୁ ଦେଶର ବିକାଶ ବାଧାପ୍ରାପ୍ତ ହେବ: ଆଦି ଗୋଦ୍‌ରେଜ

ନୂଆଦିଲ୍ଲୀ,୧୪-୭: ଦେଶରେ ବୃଦ୍ଧି ପାଉଥିବା ଅସହିଷ୍ଣୁତା, ଘୃଣା ଜନିତ ଅପରାଧ ଓ ମୋରାଲ ପୋଲିସିଂ ବୃଦ୍ଧି ପାଇବା ଯୋଗୁ ଆର୍ଥିକ ବିକାଶକୁ କ୍ଷତି ପହଞ୍ଚାଇବ ବୋଲି ଗୋଦ୍‌ରେଜ ଗ୍ରୁପ୍‌ ଅଧ୍ୟକ୍ଷ ଆଦି ଗୋଦ୍‌ରେଜ ଶନିବାର କହିଛନ୍ତି।
ମୁମ୍ବାଇର ସେଣ୍ଟ ଜାଭିଏର କଲେଜର ୧୫୦ତମ ବାର୍ଷିକ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ନିର୍ମାଣ ଓ ୫ ଲକ୍ଷ କୋଟି ଡଲାର ଅର୍ଥନୀତି ନେଇ ବିଶାଳ ଦୃଷ୍ଟିଭଙ୍ଗି ପ୍ରଦର୍ଶନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଧେଇ ଜଣାଇଛନ୍ତି। ତେବେ ଦେଶରେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ସେ କହିଛନ୍ତି। ସାମାଜିକ ପରିବେଶକୁ ନେଇ ଗୋଦ୍‌ରେଜ ଚିନ୍ତାବ୍ୟକ୍ତ କରିବା ସହ ଏହାର ପ୍ରଭାବ ଆର୍ଥିକ ବିକାଶ ଉପରେ ପଡିବ ବୋଲି ଚେତାଇ ଦେଇଛନ୍ତି। ବର୍ତ୍ତମାନର ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ଆଦି ଗୋଦ୍‌ରେଜ କହିଛନ୍ତି ଯେ, ଦେଶର ଅଧିକାଂଶ ଜନସଂଖ୍ୟା ଏବେ ମଧ୍ୟ ଗରିବ ଏହା ଭାରତ ଭୁଲିବା ଅନୁଚିତ। ଏହି ସ୍ଥିତି ଦେଶର ବିକାଶ ଗତିକୁ ଭାରି କ୍ଷତିଗ୍ରସ୍ତ କରିବ। ଏହାଦ୍ୱାରା ଆମେ ଆମର ବାସ୍ତବ କ୍ଷମତାକୁ ଚିହ୍ନିପାରିବୁ ନାହିଁ। ସାରା ଦେଶରେ ଏବେ ଜାତି-ଧର୍ମକୁ ନେଇ ହିଂସା ବୃଦ୍ଧି ପାଉଥିବା ବେଳେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ବିଭିନ୍ନ ଅସହିଷ୍ଣୁତା ବଢ଼ିଚାଲିଛି। ଏହାକୁ ରୋକା ନ ଗଲେ ସାମାଜିକ ଐକ୍ୟବଦ୍ଧତା ବଜାୟ ରଖିବା କଷ୍ଟକର ହୋଇପଡିବ। ଦେଶରେ ବର୍ତ୍ତମାନ ବେକାରୀ ସମସ୍ୟା ୬.୧% ରେ ରହିଛି, ଯାହା କି ୪ ଦଶନ୍ଧିରେ ସର୍ବାଧିକ। ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଦେଶର କେତେକ ଅଞ୍ଚଳରେ ଜଳ ସଙ୍କଟ, ପରିବେଶ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ଏବଂ ମେଡିକାଲ ବ୍ୟବସ୍ଥା ଧ୍ୱସ୍ତ ହେବା ଆଦି ସମସ୍ୟାର ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରି ଗୋଦ୍‌ରେଜ କହିଛନ୍ତି ଯେ, ଗାଈ ଅଥବା ଧର୍ମକୁ ନେଇ ଏବେ ଦେଶର ବିଭିନ୍ନ ସ୍ଥାନରେ ମବ୍‌ ଲିଞ୍ଚତ୍ଙ୍ଗ ହେଉଥିବାର ଦେଖାଯାଉଛି।

Share