Categories: ଜାତୀୟ

ଅସହ୍ୟ ତାତି: ୪୯ ବର୍ଷରେ ନେଇଛି ୧୬ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ, ୧୧।୬: ଦେଶର ୧୫ରୁ ଅଧିକ ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଗରମରେ ୭୨ କୋଟିରୁ ଅଧିକ ଲୋକେ ବ୍ୟତିବ୍ୟସ୍ତ ହେଉଛନ୍ତି। ଏସବୁ ଅଞ୍ଚଳରେ ତାପମାତ୍ରା ୪୦ରୁ ୫୦ ଡିଗ୍ରୀରୁ ମଧ୍ୟରେ ରହୁଛି। କେତେକ ଅଞ୍ଚଳରେ ଏହା ୫୦ ଡିଗ୍ରୀ ମଧ୍ୟ ଟପିଛି। ୧୯୭୦ଠାରୁ ୨୦୧୯ ମଧ୍ୟରେ ଗତ ୪୯ ବର୍ଷରେ ଅସହ୍ୟ ତାତି ଯୋଗୁ ୧୬ ହଜାର ୫ଶହ ୯୧ ଲୋକଙ୍କ ଜୀବନ ଯାଇଛି। ପରିସଂଖ୍ୟାନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ୧୬ ଶହ ୬୯ ଗ୍ରୀଷ୍ମ ପ୍ରବାହ ରେକର୍ଡ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରତିବର୍ଷ ତାତି ବଢ଼ିବାରେ ଲାଗିଛି। ତେବେ ୨୦୧୫ଠାରୁ ମୃତ୍ୟୁ ସଂଖ୍ୟା କହିଥିବାବେଳେ ତାତି କମିବାର ନା ଧରିନି। ୨୦୧୫ରେ ୨ ହଜାର ୮୧ ଜଣ ଲୋକଙ୍କର ମୃତ୍ୟୁ ଗ୍ରୀଷ୍ମ ପ୍ରବାହରେ ଘଟିଥିଲା। ସେହିପରି ୨୦୧୬ରେ ୩୭ ଗ୍ରୀଷ୍ମ ପ୍ରବାହରେ ୭ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ରେ ୫୨୪ ଗ୍ରୀଷ୍ମ ପ୍ରବାହରେ ୩୭୫ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ୪୮୪ ଗ୍ରୀଷ୍ମ ପ୍ରବାହରେ ୨୭ ଜଣଙ୍କ ଜୀବନ ଯାଇଥିଲା। ଚଳିତ ୨୦୧୯ରେ ବର୍ତ୍ତମାନ ସୁଦ୍ଧା ଗ୍ରୀଷ୍ମ ପ୍ରବାହରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Share