ଅସୁବିଧା ଭୋଗୁଛନ୍ତି ୧୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନୂଆପଡ଼ା ଅଫିସ,୪।୧୧:ନୂଆପଡା ଜିଲା ସଦର ମହକୁମାର ଅନେକ ସ୍ଥାନକୁ ଗ୍ରାମ୍ୟ ଉନ୍ନଉନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଯୋଡା ଯାଉଛି। କିନ୍ତୁ ଅନେକ ଗ୍ରାମବାସୀ ସଦର ମହକୁମାକୁ ଆସିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରି ପରିସ୍ଥିତି ଦେଖିବାକୁ ମିଳିଛି ନୂଆପଡା ସଦର ବ୍ଲକ କୋଦୋମେରୀ ପଞ୍ଚାୟତର ବିନ୍ଧନମୁଡି ଗ୍ରାମ ନିକଟରେ। ନୂଆପଡା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ପଗାରପାଣି ଓ ବିନ୍ଧନମୁଡିକୁ ଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାସ୍ତା ବିନ୍ଧନମୁଡି, ବୋଏରଭାଡି, ମାଗୁରପାଣି, କେରମେଲି, ଜାମପାଣି, ଛିନ୍ଦପାଣି ଲୋକଙ୍କ ପାଇଁ ଜିଲା ସଦର ମହକୁମାକୁ ସିଧାସଳଖ ସଂଯୋଗ ହେଉଛି। ଏହି ରାସ୍ତାର ବିନ୍ଧନମୁଡି ଗ୍ରାମ ନିକଟରେ ପୋଲ ଭଙ୍ଗାଯାଇ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ଏକ ନୂଆ ପୋଲ ନିର୍ମାଣ କରିବା ଲାଗି କାର୍ଯ୍ୟାଦଶ ପ୍ରଦାନ କରାଯାଇଥିଲା। ଫଳରେ ସେଠାରେ ଥିବା ପୁରୁଣା ପୋଲକୁ ଭଙ୍ଗା ଦିଆଯାଇଥିଲା। ଉକ୍ତ ସ୍ଥାନରେ ନୂତନ ପୋଲ ନିର୍ମାଣ ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ବିଭାଗୀୟ ଯନ୍ତ୍ରୀ ଲେଆଉଟ ଦେଇଥିଲେ। ସମ୍ପୃକ୍ତ ଠିକାଦାର ପୋଲ ନିର୍ମାଣ ସାମଗ୍ରୀ ଠୁଳ କରି ଆରମ୍ଭ କରିବା ସମୟରେ ବର୍ଷା ଦାଉ ସାଧିଥିଲା। ଏହି ପୋଲ ଉପରେ ନିର୍ଭର କରୁଥିବା ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବର୍ତ୍ତମାନ ସମୟରେ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଦୁରଦୃଷ୍ଟିତାକୁ ଦାୟୀ କରିବା ସହ ପୋଲ ଭାଙ୍ଗିବା ପୂର୍ବରୁ ଅନ୍ୟ ବିକଳ୍ପ ବ୍ୟାବସ୍ଥା କାହିଁକି ଗ୍ରହଣ କରାଗଲା ନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ବିଭାଗୀୟ ଯନ୍ତ୍ରୀମାନେ ଆଗକୁ ବର୍ଷା ଅଛି ବୋଲି କ’ଣ ଜାଣି ନ ଥିଲେ। ସେମାନେ ପୋଲକୁ ଭାଙ୍ଗିଦେଲେ କାହିଁକି, ଯଦି ଭାଙ୍ଗିଲେ ଅସ୍ଥାୟୀ ବାଏପାସ ରାସ୍ତା ନିର୍ମାଣ କଲେ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ବର୍ଷା କମି ଗଲାଣି, କାମ କାହିଁକି ଆରମ୍ଭ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ପଣ୍ଡାଙ୍କୁ ପଚାରିବାରୁ ବର୍ଷା ପୂର୍ବରୁ ପୋଲ ନିର୍ମାଣ ପାଇଁ ଚେଷ୍ଟା କରିଥିଲୁ। ହେଲେ ହଠାତ ଅତ୍ୟଧିକ ବର୍ଷା ହେବାରୁ କାମ ଅଟକି ରହିଯାଇଛି। ବର୍ତ୍ତମାନ ବର୍ଷା କମି ଗଲାଣି, କାମ ଆରମ୍ଭ କରାଯିବ ବୋଲି କହିଥିଲେ।