ଢେଙ୍କାନାଳ ଅଫିସ, ୧୬।୨ – ପ୍ରକୃତିର ବରଦାନ କପିଳାସ। ଶାନ୍ତ ସବୁଜିମା ଭରା ପରିବେଶ, ଜୈବ ବିବିଧତା ସାଙ୍ଗକୁ ବନ୍ୟଜନ୍ତୁଙ୍କ ସମ୍ଭାର ଏହାର ପରିଚୟ। ହେଲେ ଅଭୟାରଣ୍ୟ ମାନ୍ୟତା ମିଳିବାର ଦୀର୍ଘ ୯ବର୍ଷ ପରେ ବି ଏହାର ବିକାଶ ପାଇଁ ହୋଇନି ସ୍ବତନ୍ତ୍ର ଯୋଜନା। ପଠାଯାଇଥିବା ପ୍ରସ୍ତାବ ବର୍ଷ ବର୍ଷ ଧରି ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନି। ସର୍ବୋପରି ଏତେବଡ଼ ଅଭୟାରଣ୍ୟର ଦେଖାରଖା କରିବାକୁ ଆସୁଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ। ଏସବୁ ଭିତରେ ଅସୁରକ୍ଷିତ ହୋଇପଡ଼ିଛି କପିଳାସ ଅଭୟାରଣ୍ୟ ଏବଂ ଏଠାକାର ବନ୍ୟଜୀବନ।
୨୦୧୧ ଏପ୍ରିଲରେ କପିଳାସକୁ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ଢେଙ୍କାନାଳ ଜିଲାର କୃଷ୍ଣକୁମାରପୁରଠାରୁ ଆରମ୍ଭ କରି କଟକ ଜିଲାର ଟାଙ୍ଗୀ ଓ ଖୁଣ୍ଟୁଣୀ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ୧୨୫.୨୫ ବର୍ଗ କିମି ଅଞ୍ଚଳରେ ବ୍ୟାପିଛି ଏହାର ପରିସୀମା। ଶାଗୁଆନ, ଶାଳ, ବଡ଼ ଚାକୁଣ୍ଡା, ମୂଲ୍ୟବାନ ଔଷଧୀୟ ଗଛ ସହ ହାତୀ, ଭାଲୁ, ହରିଣ, ସମ୍ବର, କୁଟୁରା, ବାର୍ହା, ଠେକୁଆ, ମୟୂର, ଝିଙ୍କ, ଗୁରାଣ୍ଡି, ଅଜଗର, ଅହିରାଜ ଭଳି ସରୀସୃପରେ ପରିପୃଷ୍ଟ ଏହାର ବନ୍ୟଜୀବନ। ଜାତି ଜାତିକା ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାରେ ସକ୍ଷମ। ହେଲେ ଏହାର ବିକାଶ ପାଇଁ ସରକାର ସତେ ଯେମିତି ଆଖି ବୁଜି ଦେଇଛନ୍ତି। ଅଭୟାରଣ୍ୟ ମାନ୍ୟତା ପାଇବାର ୯ବର୍ଷ ପରେ ବି ଏହାର ସୁରକ୍ଷା ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।
ଅଭୟାରଣ୍ୟ ଘୋଷିତ ହେବା ପରେ କେତେକ ନିୟମ ପାଳନ କରିବା ଅପରିହାର୍ଯ୍ୟ। ଯେମିତିକି, ଅଭୟାରଣ୍ୟ ସୀମା ଆରମ୍ଭ ହୋଇଥିବା କୃଷ୍ଣକୁମାରପୁରରେ ଏକ ମୁଖଶାଳା ତଥା ଫାଟକ ରହିବ। ସେଠାରେ ବଡ଼ ବଡ଼ ଅକ୍ଷରରେ ସୂଚନା ଫଳକ ଲଗାଯାଇ ଅଭୟାରଣ୍ୟ ମଧ୍ୟ ଦେଇ ଯାଉଥିବା ଯାନବାହନ ଏବଂ ଜନସାଧାରଣଙ୍କୁ ସଚେତନ ପାଇଁ ନିୟମାବଳୀ ଉଲ୍ଲେଖ କରାଯିବ। ସେହିପରି ପାଟ୍ରୋଲିଂରେ ନିୟୋଜିତ କର୍ମଚାରୀ ଉକ୍ତ ସ୍ଥାନରେ ଗାଡ଼ି ଯାଞ୍ଚ କରିବେ। ବନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ୨୦୧୫ରୁ ଯାଇଛି। ହେଲେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ସେସବୁ ନାଲିଫିତା ତଳେ ବନ୍ଦ ପଡ଼ିଛି। ଅପରପକ୍ଷେ ବର୍ଷତମାମ ଅଭୟାରଣ୍ୟ ଦେଇ କପିଳାସ ଶୈବପୀଠକୁ ଶ୍ରଦ୍ଧାଳୁମାନେ ଯାତାୟାତ କରିଥାନ୍ତି। ସେମାନଙ୍କ ଦ୍ୱାରା କରାଯାଉଥିବା ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ଅଭୟାରଣ୍ୟ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ଉପରେ ପଡୁଛି। ଏହାକୁ ରୋକିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ହେଲେ ଦୁଇ ତିନୋଟି ସ୍ଥାନରେ ଛୋଟ ଛୋଟ ସୂଚନା ଫଳକ ଲଗାଇ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ପରିବେଶବିତ୍ କ୍ଷୋଭ ବ୍ୟକ୍ତ କରିଛନ୍ତି।