ଅସୁରକ୍ଷିତ ଶ୍ରେଣୀଗୃହ: ବାରଣ୍ଡାରେ ବସି ପାଠପଢୁଛନ୍ତି ପିଲା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ଦୀର୍ଘବର୍ଷରୁ ଅସୁରକ୍ଷିତ ଅବସ୍ଥାରେ ଥିବା ଶ୍ରେଣୀଗୃହ ଯୋଗୁ କୋସକା ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରା ଯାଉନାହିଁ।
ପ୍ରକାଶ ଯେ, ୧୯୯୮ ମସିହାରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁ୍‌ଷିତ କୋସକା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମକୁ ନୟାଗଡ ଜିଲାର ଫୋକସ ଭିଲେଜ ଭାବେ ମାନ୍ୟତା ମିଳିଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ କଳାପଟା ଅଭିଯାନ ଯୋଜନାରେ ନିର୍ମାଣ କରାଯାଇଥିବା ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ତତ୍କାଳୀନ ବିଧାୟକ ଉଦ୍‌ଘାଟନ କରିଥିଲେ। ତେବେ ଉକ୍ତ ବିଦ୍ୟାଳୟ ପରିସରରେ ଥିବା ୫ ବଖରା ଶ୍ରେଣୀଗୃହ ମଧ୍ୟରୁ ୨ବଖରା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ବେଳେ ଅନ୍ୟ ତିନୋଟି ଗୃହର କବାଟ, ଝରକା ନାହିଁ। ଅପରପକ୍ଷେ ଉକ୍ତ ଶ୍ରେଣୀଗୃହ ଦୁଇଟି ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ବିଭଗୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ ପରିଦର୍ଶନରେ ଆସି ଏହି ଅସୁରକ୍ଷିତ ଗୃହରେ ପିଲାମାନଙ୍କୁ ପାଠ ପଢାଇବାକୁ ବାରଣ କରିଯାଇଛନ୍ତି। ଫଳରେ ଦୀର୍ଘବର୍ଷରୁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଥିବା ଜଣାପଡିଛି। ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପଣ୍ଡାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ବିଦ୍ୟାଳୟକୁ ପରିଦର୍ଶନରେ ଆସି ଖୋଲାମେଲାରେ ରହିଥିବା ଶ୍ରେଣୀଗୃହରେ ଆବଶ୍ୟକ ଥିବା ଝରକା ଓ କବାଟଗୁଡିକୁ ଲଗାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି।

Share