ଅସୁରକ୍ଷିତ ହୋଇପଡୁଛି ରାଜଧାନୀ: ବାର୍‌ରେ ପଶି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାତିର ରାଜଧାନୀ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ନିକଟରେ କେତେଜଣ ଦୁର୍ବୃତ୍ତ ବାର୍‌ରେ ପଶି ଆତଙ୍କ ଖେଳାଇବା ସହ ରାସ୍ତାରେ ବାର୍‌ ଡ୍ୟାନ୍ସରଙ୍କୁ ଅଟକାଇ ଲୁଟ୍‌ପାଟ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ଆଉଏକ ଘଟଣା ଘଟିଛି। ୫ଜଣ ଦୁର୍ବୃତ୍ତ ମଞ୍ଚେଶ୍ୱର ଥାନା ନିକଟରେ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଛନ୍ତି। ମଞ୍ଚେଶ୍ୱର ଛକ ଓ ନିକଟ ପେଟ୍ରୋଲ ପମ୍ପ୍‌ରେ ଥିବା ଲୋକେ ଭୟଭୀତ ହୋଇପଡିଥିଲେ। ଏପରି କି ଜାତୀୟ ରାଜପଥରେ ମଧ୍ୟ ସେମାନେ ଏଭଳି ହୋହଲ୍ଲା କରି ଯାଉଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନାନୁସାରେ, ଦୁଇଟି ବାଇକରେ ୫ଜଣ ଦୁର୍ବୃତ୍ତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଭିତରୁ ହାତରେ ଖଣ୍ଡା ଓ ଭୁଜାଲି ଧରି ବାହାରିଥିଲେ। ଛକରେ ଟିକେ ଅଟକି ରହି ବଡ଼ ପାଟି କରି ଉତ୍ପାତ କରିଥିଲେ। ପରେ ଆଗରେ ଥିବା ପେଟ୍ରୋଲ ପମ୍ପ୍‌ ନିକଟ ରାସ୍ତାରେ ପୁଣି ବାଇକ୍‌ ରଖି ଖଣ୍ଡା ଓ ଭୁଜାଲି ବୁଲାଇଥିଲେ। ଏହି ସମୟରେ ସେମାନେ ପେଟ୍ରୋଲ ଟାଙ୍କି ଭିତରକୁ ପଶି ଗୋଟିଏ ଗାଡ଼ିରେ ତେଲ ପକାଇଥିଲେ। ସେଠାରେ କିଛି ସମୟ ଆତଙ୍କ ଖେଳାଇବା ସହ କର୍ମଚାରୀ ଓ ଉପସ୍ଥିତ କେତେଜଣ ଲୋକଙ୍କୁ ନାଲିଆଖି ଦେଖାଇ କଟକ ଆଡକୁ ପଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଥାନା ନିକଟରେ ଏସବୁ କାଣ୍ଡ ଘଟିଥିଲେ ମଧ୍ୟ ପୋଲିସ ନିକଟରେ ଏନେଇ କୌଣସି ଖବର ନ ଥିଲା। ଜଣେ ଖବରଦାତା ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚତ୍ଥିଲା। ପେଟ୍ରୋଲ ଟାଙ୍କିରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ବରିମୁଣ୍ଡ ନିକଟରେ ବାଲିଯାତ୍ରା ହେଉଥିବାରୁ ଦୁର୍ବୃତ୍ତମାନେ ଖଣ୍ଡା ଓ ଭୁଜାଲିଧରି ସେଠାକୁ ଯାଇଥିବା ଆଉ କେତେଜଣଙ୍କଠାରୁ ସୂଚନା ମିଳିଛି। ଏନେଇ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ କହିଛନ୍ତି,ଏନେଇ କେହି ଅଭିଯୋଗ କରିନାହଁାନ୍ତି। ସୂଚନା ମିଳିବା ପରେ ତଦନ୍ତ କରୁଛୁ। ଅଭିଯୁକ୍ତଙ୍କୁ ଗିରଫ କରାଯିବ।

Share