Categories: ଅନୁଗୋଳ

ଅସୁରକ୍ଷିତ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା, ୨୧।୫(ଡି.ଏନ.ଏ.)

ଲୋକଙ୍କୁ ମାଗଣାରେ ଜରୁରିକାଳୀନ ସେବା ଯୋଗାଇବାକୁ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନା। ଏଥିପାଇଁ ଖର୍ଚ୍ଚ ହେଉଛି ବହୁ ଅର୍ଥ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ କାର୍ଯ୍ୟରେ ଆସୁ ନ ଥିବା ଅଭିଯୋଗ ହେଉଛି। ଏପରି କି ବେଳେ ବେଳେ ଦଦରା ଗାଡ଼ିରେ ବିପଦପୂର୍ଣ୍ଣ ଅବସ୍ଥାରେ ରୋଗୀଙ୍କୁ ଡାକ୍ତରଖାନା ନିଆଯାଉଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରୋଗୀଙ୍କୁ ଜରୁରିକାଳୀନ ସେବା ଯୋଗାଇବାକୁ ୧୦୮ ଆମ୍ବୁଲାନ୍ସ ପ୍ରଚଳନ କରାଯାଇଥିଲେ ହେଁ ଧୀରେ ଧୀରେ ଏହା ଲୋକଙ୍କ ଆସ୍ଥା ହରାଉଛି। ଭଙ୍ଗାରୁଜା ଅବସ୍ଥାରେ ମଧ୍ୟ ଏଥିରେ ରୋଗୀଙ୍କୁ ନିଆଯାଉଛି। ଶନିବାର ବଇଣ୍ଡାଠାରେ ଥିବା ଏକ ଦଦରା ୧୦୮ ଆମ୍ବୁଲାନ୍ସରେ ହଣ୍ଡପା ଅଞ୍ଚଳରୁ ଜଣେ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିବାବେଳେ ଗାଡ଼ିର ଅବସ୍ଥା ଦେଖି ସମ୍ପର୍କୀୟମାନେ ଅନ୍ୟ ଏକ ଘରୋଇ ଗାଡ଼ିରେ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘ ୬ ମାସ ହେବ ଉକ୍ତ ଆମ୍ବୁଲାନ୍ସର ଏସି, ଫ୍ୟାନ, ସାଇଡ କାଚ ଆଦି ଖରାପ ହୋଇଯାଇଥିଲେ ବି ମରାମତି କରାଯାଉନାହିଁ। ସେହିପରି ବର୍ଷା ହେଲେ ଉକ୍ତ ଆମ୍ବୁଲାନ୍ସରେ ପାଣି ପଶିଯାଉଛି। ଫଳରେ ସେଥିରେ ରୋଗୀଙ୍କୁ ପରିବହନ କରିବା ସମ୍ଭବ ହେଉନାହିଁ। ଏଥିଯୋଗୁ ଅନେକ ସମୟରେ ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି। ବର୍ଷା ଜଳ ଆମ୍ବୁଲାନ୍ସ ଭିତରେ ପଶିଯାଉଥିବାରୁ ବ୍ୟାପକ ଯନ୍ତ୍ରାଂଶ ଅଚଳ ହୋଇଯାଉଛି। ଏ ନେଇ ବଇଣ୍ଡା ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର ଜିଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଆମ୍ବୁଲାନ୍ସ ମରାମତି କରିବାକୁ ବଇଣ୍ଡା ଗ୍ରାମର ଭଗବାନ ଘିଓ୍ବାଲା, ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ଅଭିରାମ ସାହୁ, ରାଜେନ୍ଦ୍ର ସାହୁ, ରମାକାନ୍ତ ବେହେରା, ସଞ୍ଜୟ ସାହୁ, ପ୍ରଣୟ ଦେହୁରି ପ୍ରମୁଖ ଦାବି କରିଛନ୍ତି।