Categories: ମେଟ୍ରୋ

ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟ କଲେ ବିଏମ୍‌ସି ଇଞ୍ଜିନିୟର

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ସପ୍ତାହକୁ ଦୁଇଥର(ସୋମବାର ଓ ଶୁକ୍ରବାର) ଡାଏଲିସିସ୍‌ ଚିକିତ୍ସା। ୨୦୧୮ ଡିସେମ୍ବରରୁ ସେ କିଡ୍‌ନୀ ରୋଗରେ ପୀଡ଼ିତ। ଏହା ସତ୍ତ୍ୱେ ବାତ୍ୟା ‘ଫନୀ’ ପରେ ଛୁଟି ନ ନେଇ କାର୍ଯ୍ୟରତ ରହିଲେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଇଞ୍ଜିନିୟରିଂ ଡିଭିଜନ-୨ର ଇଞ୍ଜିନିୟର ସୁବାସ ଚନ୍ଦ୍ର ଜେନା। ସନ୍ଧ୍ୟାରେ ୩ ଘଣ୍ଟା ଡାଏଲିସିସ୍‌ ଚିକିତ୍ସା ନେଇ ପୁଣିଥରେ ସକାଳ ୬ଟାରୁ କାର୍ଯ୍ୟରେ ଯୋଗଦେବା ଲାଗି ସୁବାସ ବାହାରି ପଡ଼ୁଥିଲେ। ଦିନରେ କାମର ଅଗ୍ରଗତି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ଦେଉଥିଲେ। ବିଏମ୍‌ସି ଓ୍ବାର୍ଡ ନଂ. ୩୦, ୩୪ ଓ ୪୧ର ରାସ୍ତାଘାଟ ସଫେଇ, ଭାଙ୍ଗିଥିବା ଗଛ କାଟିବା ଓ ଉଠାଇବା ସହ ଅନ୍ୟ ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିଲେ। ସୁବାସଙ୍କ କାର୍ଯ୍ୟକୁ ନେଇ ବିଏମ୍‌ସିରେ କାର୍ଯ୍ୟରତ ଅନ୍ୟ ଜଣେ ଇଞ୍ଜିନିୟର ସରୋଜ ସ୍ବାଇଁ କହିଛନ୍ତି, ତାଙ୍କ ଭଳି କାମକୁ ଭଲପାଉଥିବା ଇଞ୍ଜିନିୟରଙ୍କ ସହିତ କାମ କରି ବହୁତ ଭଲ ଲାଗୁଛି। କିଡ୍‌ନୀ ରୋଗରେ ପୀଡ଼ିତ ହେବା ପରେ ମଧ୍ୟ ସେ କାମରେ ଟିକେ ହେଲେ ଅବହେଳା କରିନାହାନ୍ତି। ଅନ୍ୟପକ୍ଷରେ କାମ ଓ ଲୋକଙ୍କ ସେବା କରିବା ତାଙ୍କ ପାଇଁ ପ୍ରଥମ, ତା’ପରେ ନିଜ ସ୍ବାସ୍ଥ୍ୟ ବୋଲି ସୁବାସ କହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରକୁ ପୂର୍ବରୂପକୁ ଫେରାଇ ଆଣିବା ଲାଗି ବିଏମ୍‌ସି ପକ୍ଷରୁ ଏବେ ବି ଚେଷ୍ଟା ଜାରି ରହିଛି। ପୁନରୁଦ୍ଧାର ଲାଗି ସହରକୁ ୧୩ ଜୋନ୍‌ରେ ବିଭକ୍ତ କରାଯାଇଛି। ପୂର୍ତ୍ତ ବିଭାଗ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌, ଓଏଫ୍‌ଡିସି ଆଦି ବିଭାଗୀୟ କର୍ମଚାରୀ ସହର ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ୭୦୦ ଯାନବାହାନ ଓ ୩ହଜାର କର୍ମଚାରୀ ଏଥିରେ ନିୟୋଜିତ ଅଛନ୍ତି।

Share