ଅସୁସ୍ଥ ହାତୀର ସ୍ବାସ୍ଥ୍ୟରେ ଉନ୍ନତି

ନରାଜ,୨୮।୯(ଡି.ଏନ୍‌.ଏ.): ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବାଅଁ।ରାଠାରେ ଗୁରୁବାରଠାରୁ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସକ ଓ ବନ ବିଭାଗ ରାତିତମାମ ଜଗରହି ଚିକିତ୍ସା କରିବାରୁ ଶୁକ୍ରବାର ତା’ ସ୍ବାସ୍ଥ୍ୟରେ ଉନ୍ନତି ହୋଇଛି ବୋଲି ଚିକିତ୍ସା କରୁଥିବା ଓୟୁଏଟିର ପ୍ରଫେସର ଡ. ନିରଞ୍ଜନ ସାହୁ ପ୍ରକାଶ କରିଛନ୍ତି। ଡମପଡ଼ା ବନ ବିଭାଗ, ଓୟୁଏଟିର ବିଶେଷଜ୍ଞ ଦଳ ଏବଂ ହର୍ପିସ ବିଶେଷଜ୍ଞ ଦଳ ହାତୀଟିର ଚିକିତ୍ସା ଜାରି ରଖିଛନ୍ତି। ହାତୀଟିକୁ ଜେସିବି ମେଶିନ ସାହାଯ୍ୟରେ କଡ଼ ଲେଉଟାଇବା ସହ ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲା। ଅପରପକ୍ଷେ ହାତୀଟି ମଧ୍ୟରାତ୍ରରୁ ଶୁଣ୍ଢ ଓ ଗୋଡ ହଲାଇ ପାରୁଛି। ହାତୀକୁ ପ୍ରଥମ କରି କଦଳୀ, କାକୁଡି, କଖାରୁ ଓ ଆଖୁ ଖାଇବା ପାଇଁ ଦିଆଯାଇଥିଲା। ହାତୀଟି ବର୍ତ୍ତମାନ ତା’ର ଶୁଣ୍ଢ ସାହାଯ୍ୟରେ ଖାଦ୍ୟ ନେଇପାରୁଥିଲେ ମଧ୍ୟ ଚୋବାଇବାରେ ସକ୍ଷମ ହୋଇପାରୁ ନାହିଁ। ଅତ୍ୟନ୍ତ ଦୁର୍ବଳ ହୋଇପଡିଥିବାରୁ ଧୀରେଧୀରେ ସେ ଖାଦ୍ୟ ଗ୍ରହଣ କରିବ ବୋଲି ପ୍ରଫେସର ସାହୁ କହିଛନ୍ତି। ଶୁକ୍ରବାର ହାତୀର ଚିକିତ୍ସା ଅନୁଧ୍ୟାନ କରିବା ପାଇଁ ବନ ବିଭାଗର ଆରସିସିଏଫ ଦିବାକର ମିଶ୍ର ଆସିଥିଲେ। ଏସିଏଫ ରମାକାନ୍ତ ନାୟକ, ଶରତ ଚନ୍ଦ୍ର ବେହେରା, ଡମପଡା ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତି,ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର, ଫରେଷ୍ଟର ରାକେଶ ପରିଡାଙ୍କ ସହ ବନ ବିଭାଗର ବହୁ କର୍ମଚାରୀ ସେଠାରେ ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ, ୧୦ବର୍ଷର ଏହି ହାତୀଟି ଗୁରୁବାର ଦଳସହିତ ବିଳମ୍ବିତ ରାତ୍ରିରେ ଖାଦ୍ୟ ଅନ୍ବେଷଣରେ ଆସି ବୁଲାବୁଲି କରୁଥିଲା। ଅଚାନକ ସେ ଅସୁସ୍ଥ ହୋଇପଡିଥିଲା।

Share