Categories: ଜାତୀୟ

ଅସ୍ତ୍ରବିରତି ଉଲ୍ଲଂଘନ: ୨ ପାକ୍‌ ସେନା, ୩ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର,୧୭।୧୬: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ସୋମବାର ରାତିରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାର ପାଲଟା ଆକ୍ରମଣରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଆକ୍ରମଣ କରାଯାଇଛି। ଏଥିରେ ପାକିସ୍ତାନର ୨ ସେନା ଓ ୩ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଜମ୍ମୁ ରାଜୌରୀର କେରୀ ସେକ୍ଟର ସ୍ଥିତ ସୁନ୍ଦରବନୀ ଓ ନୌସେରା ଅଞ୍ଚଳରେ ସୋମବାର ରାତିରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଭାରତୀୟ ସେନା ଶିବିର ଉପରକୁ ସେମାନେ ଗୁଳିମାଡ଼ କରିଥିଲେ। ଗୋଟିଏ ପଟେ ଭାରତୀୟ ସେନାଙ୍କୁ ଅନ୍ୟମନସ୍କ କରାଇ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ। ହେଲେ ପାକିସ୍ତାନର ଏଭଳି କାର୍ଯ୍ୟକୁ ବ୍ୟର୍ଥ କରିଦେଇଛି ଭାରତୀୟ ସେନା। ଏଥିସହ ଏହାର କଡ଼ା ଜବାବ ଦେଇ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଉକ୍ତ ଅଞ୍ଚଳରେ ରାତି ସାରା ଗୁଳି ବିନିମୟ ଜାରି ରହିଥିବା ନେଇ ସୂଚନା ମିଳିଛି। ଭାରତୀୟ ସେନା ଗୁଳିରେ ଅନ୍ୟ ୪ ପାକିସ୍ତାନ ସେନା ଆହତ ହୋଇଥିବା ବେଳେ ଅନେକ ଶିବିର ଧ୍ୱଂସ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଗୁରେଜ ସେକ୍ଟରରେ ପାକିସ୍ତାନ ସେନାର ଗୁଳିରେ ୨ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।

Share