Categories: ଖେଳ

ଅସ୍ତ୍ରୋପଚାର ପରେ କାନ୍ଧରୁ ବାହାରିଲା ତୀର

ନୂଆଦିଲ୍ଲୀ,୧୧।୧- ଏମ୍ସ ଟ୍ରମା ସେଣ୍ଟରର ଡାକ୍ତରଙ୍କ ଦୀର୍ଘ ସମୟ ଅସ୍ତ୍ରୋପଚାର ପରେ ଆସାମର ତୀରନ୍ଦାଜ ଶିଭାଙ୍ଗିନୀ ଗୋହେନଙ୍କ କାନ୍ଧରୁ ସଫଳତାର ସହ ତୀର ବାହାର କରି ଦିଆଯାଇଛି। ବୁଧବାର ଦିବ୍ରୁଗଡ଼ସ୍ଥିତ ସାଇ କେନ୍ଦ୍ରରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ପାଇଁ ଅଭ୍ୟାସ କରୁଥିବାବେଳେ ତାଙ୍କ ହାତ ଦେଇ ତୀର ପ୍ରାୟ ବେକ ପର୍ଯ୍ୟନ୍ତ ପଶି ଯାଇଥିଲା। ତୀରଟି ୧୨ ବର୍ଷୀୟା ତୀରନ୍ଦାଜଙ୍କ ସ୍ପାଇନାଲ କର୍ଡ ଓ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା କୋଷଠାରୁ ଏକ ସେଣ୍ଟି ମିଟରଠାରୁ ଆହୁରି କମ୍‌ ଦୂରରେ ଥିଲା। ଯଦି ତୀରଟି ସିଧାସଳଖ ତାଙ୍କ ସ୍ପାଇନାଲ କର୍ଡରେ ବାଜିଥାନ୍ତା, ତେବେ ସେ ଆଜୀବନ ପାରାଲାଇଜ ହୋଇଯାଇଥାନ୍ତେ। ରକ୍ତ କୋଷିକାରେ ବାଜିଥିଲେ ମସ୍ତିଷ୍କକୁ ରକ୍ତ ସଂଚାରଣ ହୋଇପାରି ନ ଥାନ୍ତା। ଫଳରେ ତାଙ୍କ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଶିଭାଙ୍ଗିନୀ ଥିଲେ ଭାଗ୍ୟବତୀ। ଆହତ ସମସ୍ୟା ସତ୍ତ୍ୱେ ସେ ଧୈର୍ଯ୍ୟ ହରାଇ ନ ଥିଲେ। ଏମ୍ସ ଟ୍ରମା ସେଣ୍ଟରଠାରେ ଅସ୍ତ୍ରୋପଚାର ଜରିଆରେ ତୀର କଢ଼ାଯାଇଛି। ଏଥିରେ କୌଣସି ରକ୍ତକୋଷିକା ଓ ଟିସୁ କ୍ଷତି ହୋଇନାହିଁ ବୋଲି ଡାକ୍ତର କହିଛନ୍ତି। ଶିଭାଙ୍ଗିନୀଙ୍କୁ ୩ ମାସ ବିଶ୍ରାମ ନେବାକୁ ପଡ଼ିବ। ପରେ ସେ ପୁଣି କ୍ରୀଡ଼ାକୁ ଫେରିପାରିବେ ବୋଲି ଏମ୍ସର ନ୍ୟୁରୋସର୍ଜରି ପ୍ରଫେସର ଡାକ୍ତର ଦୀପକ ଗୁପ୍ତା କହିଛନ୍ତି। ଆସାମର ଏକ ମେଡିକାଲରେ ତାଙ୍କ କାନ୍ଧରୁ ତୀର କାଢ଼ିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ପରେ ଶିଭାଙ୍ଗିନୀଙ୍କୁ ଏୟାରଆମ୍ବୁଲାନ୍ସ ଯୋଗେ ଦିଲ୍ଲୀର ଏମ୍ସକୁ ଅଣାଯାଇଥିଲା। ଡା. ରାଜେଶ ମାଲହୋତ୍ରାଙ୍କ ନେତୃତ୍ୱରେ ଡା. ଶିବାନନ୍ଦ ଗମନଗତି ଓ ଡା. ଅମିତ ଗୁପ୍ତା ଅନ୍ୟମାନଙ୍କ ସହ ମିଶି ଅସ୍ତ୍ରୋପଚାର ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ପରେ ଡା. ଦୀପକ ଓ ଡା. କୋକୁଲାମ ପ୍ରଣୀଥ ଅସ୍ତ୍ରୋପଚାର କରିଥିଲେ। ଏଥିନେଇ ୪ ଘଣ୍ଟା ଲାଗିଥିଲା। ତାଙ୍କୁ ଏବେ ଆଇସିୟୁରେ ଭର୍ତ୍ତି କରାଯାଇଛି।

Share