Categories: ଗଞ୍ଜାମ

ଅସ୍ତ୍ରୋପଚାର ବେଳେ ଛାତିରେ ରହିଛି ଛୁଞ୍ଚି ଯନ୍ତ୍ରଣାରେ ଛଟପଟ ନର୍ସିଂ ଛାତ୍ରୀ

ଫିରିଙ୍ଗିଆ,୨୩ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସିଂ ଛାତ୍ରୀ ନିଜ ଛାତିରେ ହୋଇଥିବା ଟ୍ୟୁମର ଗତ ଜାନୁୟାରୀରେ ଅସ୍ତ୍ରୋପଚାର କରାଇଥିଲେ । ଅସ୍ତ୍ରୋପଚାର ସଫଳ ହେଲା। ହେଲେ କିଛି ଦିନ ପରେ ପୁଣି ଯନ୍ତ୍ରଣା ଆରମ୍ଭ ହେଲା। ଏକ୍ସ-ରେ କରିବାରୁ ଛାତି ଭିତରେ ଏକ ଛୁଞ୍ଚି ରହିଯାଇଥିବା ଜଣାପଡ଼ିଲା । ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ପଢ଼ୁଥିବା ସୁଜାତା ମଲ୍ଲିକଙ୍କ କ୍ଷେତ୍ରରେ ଏଭଳି ଘଟିଛି। ସେ ଏବେ ଘରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅର୍ଥାଭାବରୁ ପୁଣି ଅସ୍ତ୍ରୋପଚାର କରିବା ସମ୍ଭବ ହେଉନାହିଁ । ବ୍ରହ୍ମପୁର ବଡ଼ ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ସମୟ ଦେଇଥିଲେ । ହେଲେ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଛି ।
ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ମାଶ୍ରିପଡା ଗ୍ରାମର ସୁଜାତା ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନର୍ସିଂ କଲେଜର ଏଏନ୍‌ଏମ୍‌ ପ୍ରଥମ ବର୍ଷର ଛାତ୍ରୀ। ଗତ ଅକ୍ଟୋବର ୨୬ରେ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । କିଛି ମାସ ଧରି ଛାତିରେ ଯନ୍ତ୍ରଣା ହେଉଥିବାରୁ ସୁଜାତା ପରୀକ୍ଷା ନିରୀକ୍ଷା କରିବା ପରେ ଡାହାଣ ପଟ ଛାତିରେ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଜାନୁୟାରୀ ୩ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଅସ୍ତ୍ରୋପଚାର କରାଗଲା। ଯନ୍ତ୍ରଣା ହେବାରୁ ସେହି ମାସ ୬ ତାରିଖରେ ଆଉ ଥରେ ଅସ୍ତ୍ରୋପଚାର ହେଲା। ହେଲେ ଛୁଞ୍ଚି ବାହାରି ପାରିଲା ନାହିଁ। ତାଙ୍କୁ ବ୍ରହ୍ମପୁର ଯିବାକୁ କୁହାଗଲା । ଦୁଇଦିନ ପରେ ସୁଜାତା ବ୍ରହ୍ମପୁର ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ୩/୪ ମାସ ପରେ ଆସିବାକୁ କହିଲେ ।ଅର୍ଥାଭାବରୁ ସୁଜାତା ବ୍ରହ୍ମପୁର ଯାଇ ପାରୁନାହାନ୍ତି। ପରିବାର କହିଲେ ବାପା, ବୋଉ । ସେମାନେ ପରିଣତ ବୟସରେ ।ଘର ଚଳିବା ବି କଷ୍ଟ ହେଉଛି । ଏପଟେ ପଢ଼ିବା ପାଇଁ ହଷ୍ଟେଲରେ ଟଙ୍କା ଜମା କରିବାକୁ ପଡୁଛି । ସରକାରୀ ସାହାଯ୍ୟ ନ ପାଇଲେ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସୁଜାତା ପ୍ରକାଶ କରିଛନ୍ତି।