Categories: ମେଟ୍ରୋ

ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ

ଖୋର୍ଦ୍ଧା ଅଫିସ,୧୦।୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ତରତୁଆର ଜଣେ ପ୍ରସୂତି ମହିଳାଙ୍କର ଅସ୍ତ୍ରୋପଚାର ବେଳେ ନବଜାତ ଶିଶୁପୁତ୍ର ମୁଣ୍ଡରେ କ୍ଷତ ହୋଇଥିଲା। ତେବେ କ୍ଷତକୁ ଲୁକ୍କାୟତ ଭାବେ ଷ୍ଟିଚ କରି ଅସ୍ତ୍ରୋପଚାରରେ ନିୟୋଜିତ ଡାକ୍ତର ଓ କର୍ମଚାରୀ ଗୁରୁତର ଦର୍ଶାଇ ରେଫର କରିଥିଲେ। ଏହି ଘଟଣାକୁ ନେଇ ନବଜାତ ଶିଶୁଙ୍କ ପରିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର, ଅଭିଯୋଗ ପରେ ତଦନ୍ତ ନ କରି ବ୍ୟବହାର ଖରାପ ଦେଖାଇଥିବା ଏଡିଏମ୍‌ଓ(ମେଡିକାଲ)ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଶିଶୁର ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ମଙ୍ଗଳବାର ନବଜାତ ଶିଶୁଙ୍କ ପରିବାର ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କୁ ଅବଗତ କରାଯାଇଛି। ଅଭିଯୋଗ ପାଇବା ପରେ ସିଡିଏମ୍‌ଓ ବିଜୟ କୁମାର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଗଲା ଅନୁଧ୍ୟାନ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଶିଶୁର ଅବସ୍ଥା ଭଲ ଅଛି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ମାଗଣାରେ କରାଯିବ।
ତରତୁଆର ଆଜାଦ୍‌ ଖାନଙ୍କ ଅଭିଯୋଗ ଅନୁସାରେ, ୩ ତାରିଖରେ ପତ୍ନୀ ଅରାଫତ୍‌ ନିଶାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଗୁରୁତର କହି ଭୁବନେଶ୍ୱର ଏମ୍‌ସକୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ନବଜାତ ଶିଶୁପୁତ୍ରକୁ ରେଫର କରିଥିଲେ। ଏମ୍‌ସରେ ଚିକିତ୍ସିତ ହେବା ପରେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲର ଶିଶୁ ବିଭାଗରେ ନବଜାତ ଶିଶୁପୁତ୍ରଙ୍କୁ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ କ୍ଷତ ଯୋଗୁ ନବଜାତ ଶିଶୁପୁତ୍ର ଗୁରୁତର ରହିଥିବା ଡାକ୍ତର କହିଥିଲେ। ଏପରିକି କ୍ଷତ ସ୍ଥାନରୁ ବାଳ କଟା ନ ଯାଇ ୨ଟି ଷ୍ଟିଚ୍‌ ପକାଯିବା ଶିଶୁ ଅସୁସ୍ଥତାର କାରଣ ବୋଲି ଜଣାପଡିଥିଲା। ତେବେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣି ନ ଥିବାରୁ ଚିକିତ୍ସାରେ ସମସ୍ୟା ଦେଖା ଦେଇଥିଲା। ପରୀକ୍ଷଣ ପରେ ମୁଣ୍ଡର କ୍ଷତ ନଜରକୁ ଆସିଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଓ କର୍ମଚାରୀ ମୁଣ୍ଡର କ୍ଷତ ସମ୍ପର୍କରେ ପରିବାର ଲୋକଙ୍କୁ କୌଣସି ସୂଚନା ଦେଇ ନ ଥିଲେ। ସେମାନେ ତରବରିଆ ଭାବେ ଷ୍ଟିଚ କରି ରେଫର କରିଦେବା ପରେ ନବଜାତ ଶିଶୁପୁତ୍ରର ସ୍ବାସ୍ଥ୍ୟ ବିଗିଡି ଯାଇଥିଲା।

Share