ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏହି ରାଜିନାମା ସ୍ବାକ୍ଷର କରିଥିଲେ। ବିଭିନ୍ନ ଦେଶ ମଧ୍ୟରେ ଅସ୍ତ୍ର ବ୍ୟବସାୟକୁ ନିୟନ୍ତ୍ରଣ କରିବା ଥିଲା ଏହି ଚୁକ୍ତିନାମାର ଉଦ୍ଦେଶ୍ୟ। ତେବେ ଏହାକୁ ଭୁଲ୍‌ ଢଙ୍ଗରେ ପରିଚାଳନା କରାଯାଉଥିବା ଟ୍ରମ୍ପ ନ୍ୟାଶନାଲ୍‌ ରାଇଫଲ ଆସୋସିଏଶନ୍‌ (ଏନ୍‌ଆର୍‌ଏ)ର ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କହିଛନ୍ତି। ସେ ବନ୍ଧୁକ ଅଧିକାର ଲାଗି ସଂଘର୍ଷ କରିବେ ବୋଲି ପ୍ରତିଜ୍ଞା କରିବା ସହ ତାଙ୍କର ପୁନଃ ନିର୍ବାଚନ ଦୌଡ଼ରେ ସହଯୋଗ ଲାଗି ଦେଶର ବନ୍ଧୁକ ସପକ୍ଷବାଦୀ ଗୋଷ୍ଠୀର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।
ଅନ୍ତର୍ଜାତୀୟ ବନ୍ଧୁକ ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ଥିବାବେଳେ ଅସ୍ତ୍ର ଧାରଣ ଅଧିକାର ସମ୍ପର୍କିତ ଦ୍ୱିତୀୟ ସଂଶୋଧନ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଏନ୍‌ଆର୍‌ଏ ପକ୍ଷରୁ କୁହାଯାଇଛି। ଏହି ରାଜିନାମାକୁ ମଞ୍ଜୁର ନ କରିବା ଲାଗି ଆମେରିକା ସିନେଟକୁ କହିବେ ବୋଲି ଟ୍ରମ୍ପ ଏନ୍‌ଆରଏକୁ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ବିଶ୍ୱର ସର୍ବବୃହତ ଅସ୍ତ୍ର ରପ୍ତାନିକାରୀ ହୋଇଥିବାବେଳେ ଏହା ପଛକୁ ରହିଛି ରୁଷିଆ। ତେବେ ରୁଷିଆଠାରୁ ଆମେରିକାର ଅସ୍ତ୍ର ବିକ୍ରି ୫୮ ପ୍ରତିଶତ ଅଧିକ। ତାଙ୍କ ପ୍ରଶାସନରେ ଆମେରିକାର ସାର୍ବଭୌମତ୍ୱକୁ କାହା ନିକଟରେ ନଇଁବାକୁ କଦାପି ଦେବେନାହିଁ ବୋଲି ଟ୍ରମ୍ପ କହିଛନ୍ତି।
ଉକ୍ତ ଚୁକ୍ତିନାମା ଦାୟିତ୍ୱହୀନ ଅସ୍ତ୍ର ହସ୍ତାନ୍ତର ସମସ୍ୟାର ସମାଧାନ କରିବାରେ ବାସ୍ତବରେ ବିଫଳ ହୋଇଥିବା ହ୍ବାଇଟ୍‌ହାଉସ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। କାରଣ ରୁଷିଆ, ଚାଇନା ଭଳି ବଡ଼ ଅସ୍ତ୍ର ବ୍ୟବସାୟୀମାନେ ଏହି ରାଜିନାମାରେ ସ୍ବାକ୍ଷର କରିନାହାନ୍ତି। ଟ୍ରମ୍ପ୍‌ଙ୍କ ଏଭଳି ଘୋଷଣାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାନବାଧିକାର ସଂଗଠନ ଏହାକୁ ନିନ୍ଦା କରିଛି। ଟ୍ରମ୍ପ୍‌ ମୁକ୍ତ ବିଶ୍ୱର ନେତା ନୁହନ୍ତି, ଏହା ତାଙ୍କ ବିବୃତିରୁ ସ୍ପଷ୍ଟ ହୋଇଯାଇଛି ବୋଲି ବ୍ରିଟେନର ଛାୟା ବୈଦେଶିକ ସଚିବ ଏମିଲି ଥର୍ନବେରୀ କହିଛନ୍ତି।

Share