ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ଦାବିରେ ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ, ୧୫।୨: ସ୍ଥାନୀୟ କଲେଜ ଛକ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ଅଳିଆ ଗଦାରେ ନିଆଁ ଲଗାଇ ଦିଆଯାଉଥିବାରୁ ଏହି ଧୂଆଁ ସମଗ୍ର ଅଞ୍ଚଳକୁ ପ୍ରଦୂଷିତ କରିଦେଉଛି। ଲୋକେ ଘର ଭିତରେ କବାଟ ବନ୍ଦ କରି ରହିଲେ ମଧ୍ୟ ସୁଦ୍ଧ ବାୟୁ ପାଇପାରୁନାହାନ୍ତି। ତେଣୁ ଲୋକଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଶୁକ୍ରବାର ପ୍ରତିଫଳନ ହୋଇଥିଲା। ସକାଳେ ଶତାଧିକ ଜନତା ଓ ଛାତ୍ରୀଛାତ୍ର ଅସ୍ଥାୟୀ ଡମ୍ପିଂୟାର୍ଡକୁ ଯିବା କେନାଲ ରାସ୍ତାର ପୋଲ ନିକଟରେ ଆନ୍ଦୋଳନ କରିଥିଲେ। ସେମାନେ ଏହି ରାସ୍ତାରେ ବାଉଁଶ ବାନ୍ଧି ତଳେ ପାଲ ପାରି ବସିବା ସହ କୌଣସି ଅଳିଆ ଗାଡିକୁ ଏହି ରାସ୍ତାରେ ଛଡାଯିବ ନାହିଁ ବୋଲି ଅଡି ବସିଥିଲେ। ଲୋକଙ୍କ ଯୁକ୍ତି ଥିଲା, ସେଠାରେ ସହରର ଅଳିଆ ଯେଉଁଭଳି ଭାବରେ ଗଦା ହେଉଛି, ତାହା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଅଳିଆ ଗଦା ପାର୍ଶ୍ୱରେ ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ଅବସ୍ଥିତ। ଏହି ମହାବିଦ୍ୟାଳୟ ପରିସରରେ ହଷ୍ଟେଲ ରହିଛି। ଶତାଧିକ ଅନ୍ତେବାସୀ ହଷ୍ଟେଲରେ ରହୁଛନ୍ତି। ଅଳିଆ ଗଦାର ଅନ୍ୟ ପାର୍ଶ୍ୱରେ କଲେଜ ଛକ। ଏହି ଛକରେ ପାଷ୍ଟ ଫୁଡ୍‌ଠାରୁ ଅରମ୍ଭ କରି ବିଭିନ୍ନ ପ୍ରକାର ଦୋକାନ, ବଜାର ରହିଛି । କଲେଜ ଛକ ନିକଟରେ ଲାଲା ସାହି, ଗୋପାଳସାଗର, ବଡ ବଜାର ଆଦି ଗ୍ରାମ ରହିଛି। ଅଳିଆ ଗଦାରେ ନିଆଁ ଲାଗିଲେ ଏହିସବୁ ଅଞ୍ଚଳର ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ।
ପ୍ରଭାତ ସିଂହ, ନିରଞ୍ଜନ ମହାପାତ୍ର, ସେକ୍‌ ମୁନ୍‌କା, ପ୍ରଦୀପ ସିଂହ, ଅରୁଣ ଲାଲା, ଭଞ୍ଜ ରଥ, ଅନୁପାନନ୍ଦ ଖଣ୍ଡୁଆଳ, ଲାଲା ବିକ୍ରମ ରାୟ, ଉପେନ୍ଦ୍ର ସାସମଲ, ନିଲୁ ମହାନ୍ତି, କମଳାକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, ସୌଭାଗ୍ୟ ମହାନ୍ତି, ଅରୁଣ ଆଚାର୍ଯ୍ୟ, ପ୍ରଦୀପ ମିତ୍ର, ତପନ ମଲ୍ଲିକ, ନିରଞ୍ଜନ ଜେନା, ଲାଲା ସଂଗ୍ରାମ କେଶରୀ ରାୟ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ବିମଳ ପ୍ରସାଦ ଲେଙ୍କା କହିଛନ୍ତି, କଲେଜ ଛକ କେନାଲ ପାର୍ଶ୍ୱ ମଶାଣି ନିକଟରେ ଏକ ପାର୍କ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଯେଉଁଠି ଅଳିଆ ପଡୁଛି ତା’ ତଳ ଅଂଶରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବ। ତେଣୁ ଅଳିଆ ଆଉ ଗଦା ହୋଇ ରହିବ ନାହିଁ। ଲୁହା, ଜରି, ପ୍ଲାଷ୍ଟିକ୍‌ ଆଦିକୁ ସେଠାରେ ପୃଥକ ଭାବେ ରଖାଯିବା ବ୍ୟବସ୍ଥା କରାଯାଇ ବିକ୍ରି ହୋଇଯାଉଛି। ତେଣୁ ଲୋକେ ବିବ୍ରତ ହେବା ଉଚିତ ନୁହେଁ ବୋଲି ଲେଙ୍କା କହିଛନ୍ତି।

Share