ଅସ୍ଥାୟୀ ଶିବିରରେ ଥିବା ୧୩୩ ଶ୍ରମିକ ଘରକୁ ଫେରିଲେ

ସୋନପୁର,୨୬।୪(ନି.ପ୍ର.):ଲକ୍‌ଡାଉନ୍‌ କାରଣରୁ ଅନ୍ୟ ଜିଲାର ବହୁ ଶ୍ରମିକ ସୁବର୍ଣ୍ଣପୁର ଜିଲାରେ ଫସି ରହିଥିଲେ। ସେମାନଙ୍କୁ ଜିଲାର ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ଶିବିରରେ ରହିବା ପାଇଁ ସମସ୍ତ ସୁବିଧା ସହ ଠିକ୍‌ ସମୟରେ ଖାଦ୍ୟ ଓ ପାନୀୟ ମିଳୁଥିଲା। କିନ୍ତୁ ଶ୍ରମିକମାନେ ନିଜ ଘରକୁ ଯିବାକୁ ଚାହୁଁଥିଲେ। ତେବେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀ ସମ୍ପୃକ୍ତ ଜିଲାର ଜିଲାପାଳ ମାନଙ୍କ ସହିତ କଥା ହୋଇ ୧୩୩ ଶ୍ରମିକଙ୍କୁ ନିଜ ଘରକୁ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ଶ୍ରମିକମାନେ ରବିବାର ଓ ଶନିବାର ମାସ୍କ ପିନ୍ଧି, ଦୂରତା ବଜାୟ ରଖି ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ଜିଲାକୁ ଯାଇଛନ୍ତି। ଦୀର୍ଘ ଦିନ ପରେ ଘରକୁ ଫେରୁଥିବା ଶ୍ରମିକମାନେ ବେଶ୍‌ ଖୁସି ଅନୁଭବ କରିଥିଲେ। ବଲାଙ୍ଗୀର, ବରଗଡ, ସମ୍ବଲପୁର, ବୌଦ୍ଧ, ଅନୁଗୋଳ, ଦେବଗଡ ଓ ନୟାଗଡ ଜିଲାର ଏହି ଶ୍ରମିକମାନେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି, ଉଲୁଣ୍ଡା, ବିନିକା ଓ ତରଭା ଅସ୍ଥାୟୀ ଶିବିରରେ ରହି ଆସୁଥିଲେ। ଉଲୁଣ୍ଡା, ବିନିକା ଓ ତରଭା ବ୍ଲକର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରମିକମାନଙ୍କୁ ସେମାନଙ୍କ ଜିଲାକୁ ପଠାଯାଇଥିଲା।

Share