ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କଲେ ଅତିରିକ୍ତ ଜିଲାପାଳ

ବନ୍ତ,୨୯।୩(ଡି.ଏନ୍‌.ଏ.): ଅତିରିକ୍ତ ଜିଲାପାଳ(ରାଜସ୍ବ) ଅରୁଣ କୁମାର ମହାପାତ୍ର ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ତଦାରଖ କରିଛନ୍ତି। ନିଳୋକ ହାଇସ୍କୁଲସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ, ପାଇଖାନା, ବିଜୁଳି, ଔଷଧ ସମେତ ସାନିଟାଇଜେସନ୍‌, ସାମାଜିକ ଦୂରତା, ସଙ୍ଗରୋଧ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଅନ୍ୟ ରାଜ୍ୟରୁ ଆସିଥିବା ୬୩ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କୁ ଆଇସୋଲେଶନରେ ରଖାଯାଇଥିବା ଦେଖିଥିଲେ। ସମସ୍ତ ବ୍ୟକ୍ତିଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବା, ଅନ୍ୟ ପଞ୍ଜୀକୃତ ବ୍ୟକ୍ତିଙ୍କ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ା ତଦାରଖ ବେଳେ ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ପଣ୍ଡା, ଜିଆର୍‌ଏସ୍‌ ପ୍ରଦୀପ ବିଶ୍ୱାଳ ଉପସ୍ଥିତ ଥିଲେ ା