ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ୨୩ ଶ୍ରମିକ: ଚାଲି ଚାଲି ଯାଉଥିଲେ ପଶ୍ଚିମବଙ୍ଗ

ରସାଳପୁର,୨୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ଥାନା ପୋଲିସ ସୋମବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ୨୩ଜଣ ଶ୍ରମିକଙ୍କୁ ସ୍ଥାନୀୟ ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି। ସେମାନଙ୍କର ଖାଇବା ପିଇବା ସହିତ ସମସ୍ତ ସୁବିଧା ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନୋଡ଼ାଲ ଅଫିସର ସୂଚନା ଦେଇଛନ୍ତି। ପରେ ପୋଲିସ କେନ୍ଦ୍ରରେ ପହଞ୍ଚି ସେମାନଙ୍କର ନାମ, ଠିକଣା ଓ ପଞ୍ଜିକରଣ କରିଛି। ପଞ୍ଜିକୃତମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ବୀରଭୂମ ଜିଲା ନାଲହାତୀ ଥାନା ଭଜିରପୁର ଗ୍ରାମର ୧୦ଜଣ, ବନ୍ଦଖୋଲି ଗ୍ରାମର ୩ଜଣ, ନାଲାଡ଼ିହି ଥାନା ହାଜାରପୁର ଗ୍ରାମର ୨ଜଣ, ଆନକୁଲା ଗ୍ରାମର ୨ଜଣ, ନାଗର ଗ୍ରାମର ୬ଜଣ ଓ କଣ୍ଟାଗଡ଼ିଆ ଗ୍ରାମର ୫ଜଣ। ସମସ୍ତଙ୍କ ବୟସ ୨୦ରୁ ୫୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।
ଉକ୍ତ ଯୁବକମାନେ କିଛିଦିନ ତଳେ ସିମୁଳିଆ ଥାନା ମାର୍କୋଣା ଅଞ୍ଚଳର ବାଟି ଗ୍ରାମରେ ଠିକା ନେଇ ପକ୍କା ଘର ତିଆରି କରୁଥିଲେ। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ ଶଟ୍‌ଡାଉନ୍‌ ହେବା ଫଳରେ କାମ କରିବାରେ ଅସୁବିଧା ହୋଇଥିଲା। କାମ ନ ହେବାରୁ ସେମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଚାଲି ଚାଲି ଆସୁଥିବା ବେଳେ ୧୬ନଂ. ଜାତୀୟ ରାଜପଥ ସଦର ଥାନା ନିକଟରେ ଏତେସଂଖ୍ୟକ ଲୋକ ଆସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେମାନଙ୍କୁ ଅଟକ ରଖିବା ସହିତ ରେମୁଣା ବିଡ଼ିଓ ଏବଂ ତହସିଲଦାରଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ବିଡ଼ିଓ ସ୍ଥାନୀୟ ପଞ୍ଚାୟତ କୁରୁଡ଼ାର ସରପଞ୍ଚଙ୍କ ସହିତ କଥାବାର୍ତ୍ତା ପରେ ତାଙ୍କୁ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Share