ଅସ୍ଥିରତା ଲାଗି ଅନୁମତି ମିଳିବନି

ଇସ୍‌ଲାମାବାଦ, ୩ା୧୧(ପି.ଟି.): ଦେଶରେ କାହାରିକୁ ଅସ୍ଥିରତା ଲାଗି ଅନୁମତି ମିଳିବ ନାହିଁ ବୋଲି ବିକ୍ଷୋଭକାରୀଙ୍କୁ ପାକିସ୍ତାନ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ମୁସଲ୍‌ମାନ ଧର୍ମଗୁରୁ ତଥା ରାଜନେତା ମୌଲାନା ଫଜ୍‌ଲୁର ରହମନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଦୁଇଦିନ ମଧ୍ୟରେ ଗାଦି ଛାଡ଼ିବା ଲାଗି କହି ବିଶାଳ ବିକ୍ଷୋଭ ଆରମ୍ଭ କରିଥିଲେ। କୌଣସି ଅନୁଷ୍ଠାନକୁ ଦେଶ ଚଳାଇବାର ଅଧିକାର ଦିଆଯିବନି ବୋଲି ସେ ମତ ରଖିଥିଲେ। ତେବେ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ୍‌ ଗଫୁର କେଉଁ ଅନୁଷ୍ଠାନ କଥା ଫଜ୍‌ଲୁର କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେନା ସବୁବେଳେ ନିରପେକ୍ଷ। ସମ୍ବିଧାନର ନୀତି ଅନୁଯାୟୀ ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ସରକାର ଲାଗି ସେନା କାମ କରୁଛି। କୌଣସି ଅନୁଷ୍ଠାନ ଲାଗି ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ସରକାର ବିରୋଧୀ ବିକ୍ଷୋଭ କରାଯାଇ କୌଣସି ଅସ୍ଥିରତା ସୃଷ୍ଟି କରାଯିବାକୁ ଅନୁମତି ମିଳିବନି ବୋଲି ସେ ଶନିବାର କହିଛନ୍ତି। ଗଣତାନ୍ତ୍ରିକ ଭାବେ ଆଲୋଚନା କରାଯାଇ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିିବ ବୋଲି ସେ ମତ ଦେଇଛନ୍ତି। ସେପଟେ ଫଜ୍‌ଲୁର ନିଜ ଜିଦ୍‌ରେ ଅଟଳ ରହିବା ସହ ବିରୋଧୀ ଦଳର ନେତାମାନଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Share