ଅସ୍ଥିଶଲ୍ୟ ବିଭାଗରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରନେତା

ବାଲେଶ୍ୱର ଅଫିସ, ୧୦।୭- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଜଣେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକତ୍ସା କରାଯିବା ଘଟଣା ନେଇ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଭେଟି ଛାତ୍ରନେତା ଜ୍ଞାନେନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଗତ ମାସ ୧୪ ତାରିଖରେ ଚାନ୍ଦିପୁର ରାସ୍ତାରେ ସହଦେବଖୁଣ୍ଟା ରେଲୱେ କଲୋନୀର ସଦାନନ୍ଦ ଦାସ (୧୯) ନାମକ ଜଣେ ଛାତ୍ର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ଡାହାଣ ଗୋଡ଼ର ୪ଟି ଆଙ୍ଗୁଳି ଭାଙ୍ଗିଯାଇଥିଲା। ଏକ୍ସ-ରେ କରିବା ପରେ ଅସ୍ଥିଶଲ୍ୟ ବିଭାଗର ଜଣେ ଡାକ୍ତର ଅସ୍ତ୍ରୋପଚାର କରିଥିଲେ। ଗତ ୨ ତାରିଖରେ ତାଙ୍କୁ ଘରକୁ ଯିବା ଲାଗି କୁହାଯାଇଥିଲା। ସଦାନନ୍ଦ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ପୁନଶ୍ଚ ଏକ୍ସ-ରେ କରିଥିଲେ। ୪ ଆଙ୍ଗୁଠିି ମଧ୍ୟରୁ ଗୋଟିଏ ଆଙ୍ଗୁଠି ଠିକ୍‌ ଥିବାବେଳେ ଅନ୍ୟ ୩ଟି ଆଙ୍ଗୁଠି ପୂର୍ବାବସ୍ଥାରେ ରହିଥିବା ଜଣାପଡ଼ିଥିଲା। ରୋଗୀଙ୍କ ପିତା ଏଥିରେ ସନ୍ଦେହ କରି ଅନ୍ୟ ଡାକ୍ତରଙ୍କ ପରାମର୍ଶ ନେଇ ପରେ ଏକ ଘରୋଇ କ୍ଲିନିକ୍‌ରେ ଏହି ୩ଟି ଆଙ୍ଗୁଠିରେ ଅସ୍ତ୍ରୋପଚାର କରାଇଛନ୍ତି। ସଦାନନ୍ଦ ଜଣେ ମଧ୍ୟବିତ୍ତ ପରିବାରର ଛାତ୍ର ହୋଇଥିବାରୁ ଫକୀରମୋହନ ବିଦ୍ୟାଳୟର ଛାତ୍ରନେତା ଜ୍ଞାନେନ୍ଦ୍ର ତାଙ୍କୁ ଜଣେ ଏମ୍‌ପିଙ୍କ ପାଣ୍ଠିରୁ ୨୦ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସହଯୋଗ କରିଥିଲେ। ଏପରି ଘଟଣା ଜାଣିବା ପରେ ସେ ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ପ୍ରଭାସ କୁମାର ବେହେରାଙ୍କୁ ସାକ୍ଷାତ୍‌ କରି ସଦାନନ୍ଦଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇ ଏହାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିବା ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି।