ଅସ୍ବାସ୍ଥ୍ୟକର ପରିବେଶରେ ଦୈନିକ ବଜାର

କାଶୀନଗର,୨୮ା୧(ଡି.ଏନ.ଏ.) – ଗଜପତି ଜିଲା କାଶୀନଗର ବସଷ୍ଟାଣ୍ଡ ନିକଟ ବଜାର ଆବର୍ଜନାପୂର୍ଣ୍ଣ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହିଛି। ବଜାରରେ ପ୍ରତ୍ୟେକ ଦିନ ପନିପରିବା ଏବଂ ଆମିଷ ବିକ୍ରି ହେଉଛି। ହେଲେ ସଫେଇ ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବା ଏଠାକୁ ଆସୁଥିବା ଗ୍ରାହକ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ନର୍ଦ୍ଦମା ଓ କୁଢ଼ କୁଢ଼ ଆବର୍ଜନା ଯୋଗୁ ବଜାର ଏବଂ ଏହା ନିକଟ ଅଞ୍ଚଳ କୁକୁର ଓ ଘୁଷୁରିଙ୍କ ଆଡ୍ଡାସ୍ଥଳୀ ପାଲଟିଛି।
ଉଲ୍ଲେଖନୀୟ ବିଷୟ ହେଲା ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ କାଶୀନଗର ଆସି ଏହି ବଜାର ଅଞ୍ଚଳରେ ଏକ ମାର୍କେଟ କମ୍ପ୍ଲେକ୍ସ ପାଇଁ ଶୁଭ ଦେଇଥିଲେ। ପରେ ସେଠାରେ କେତେକ ରୁମ୍‌ ନିର୍ମାଣ ହୋଇଥିଲା। ଏନ୍‌ଏସିର ତତ୍କାଳୀନ କର୍ତ୍ତୃପକ୍ଷ ବ୍ୟବସାୟ ପାଇଁ ପ୍ରତ୍ୟେକ କାଉନସିଲର୍‌ଙ୍କୁ ଗୋଟିଏ ଲେଖାଏ ରୁମ୍‌ ଦେବା ପାଇଁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ନେଇ ଜଣେ ପୂର୍ବତନ କାଉନସିଲର କହିଛନ୍ତ, ଏବେକାର ପାରଳାଖେମୁଣ୍ଡି ବିଧାୟକ ସେତେବେଳେ ମଧ୍ୟ ବିଧାୟକ ଥିଲେ। ହେଲେ ସେ ସମୟରେ ନିର୍ବାଚନ ଥିବା ଯୋଗୁ ସେ କାଉନସିଲର୍‌ମାନଙ୍କୁ ରୁମ୍‌ ନ ଦେବାପାଇଁ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ କାଉନସିଲର୍‌ମାନଙ୍କୁ ଲିଜ୍‌ରେ ରୁମ୍‌ ଦେବା କାର୍ଯ୍ୟ ସ୍ଥଗିତ ରହିଥିଲା। ତେବେ ନିର୍ବାଚନ ଶେଷ ହେବା ପରେ ରୁମ୍‌ ଦେବାକୁ କେନ୍ଦ୍ରକରି ରାଜନୈତିକ କନ୍ଦଳ ସୃଷ୍ଟି ହେବା ଯୋଗୁ ପରବର୍ତ୍ତୀ ସମୟରେ ନିର୍ମିତ ରୁମ୍‌ଗୁଡ଼ିକ ଅବ୍ୟବହୃତ ପଡ଼ିଥିଲା। କେତେକ ବ୍ୟବସାୟୀ ଏନ୍‌ଏସିରୁ ଅନୁମତି ନେଇ ନିଜ ଖର୍ଚ୍ଚରେ ରୁମ୍‌ ଗୁଡ଼ିକରେ ଶଟର୍‌ ମଧ୍ୟ ଲଗାଇଥିଲେ। ମାତ୍ର ଆବର୍ଜନାମୟ ପରିବେଶ ସହ କୁକୁର ଓ ଘୁଷୁରିଙ୍କ ଆଡ୍ଡା ଯୋଗୁ ରୁମ୍‌ ଗୁଡ଼ିକ ବ୍ୟବହାର ହୋଇପାର ନ ଥିଲା। ତେବେ କେତେକ ରୁମ୍‌ର ଶଟର୍‌ କଳଙ୍କି ଲାଗି ନଷ୍ଟ ହୋଇଯିବା ପରେ ଏବେ ରୁମ୍‌ ଭିତରେ ଘୁଷୁରି ଆଶ୍ରୟ ନେଉଛନ୍ତି। ଏହା ବାହାରେ ମଧ୍ୟ ଦଳ ଦଳ ଘୁଷୁରି ଓ କୁକୁର ଶୋଇଥିବା ଦେଖିବାକୁ ମିଳୁଛି। ସେହିପରି ଦୁର୍ଗନ୍ଧ ଯୋଗୁ ଲୋକେ ସେଠାକୁ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ସରକାରୀ ଅର୍ଥ ବ୍ୟୟରେ ନିର୍ମିତ ରୁମ୍‌ଗୁଡ଼ିକ ଏପରି ‘ସର୍‌କାର୍‌ କା ମାଲ୍‌ ଦରିଆ ମେ ଡାଲ୍‌’ ନୀତିରେ ନଷ୍ଟ କରିବା ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପନିପରିବା ଓ ଆମିଷ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶୀଘ୍ର ବଜାର ଅଞ୍ଚଳକୁ ସଫା କରିବା ସହ ରୁମ୍‌ ଗୁଡ଼ିକର ଉପଯୁକ୍ତ ବ୍ୟବହାର କରିବା ପାଇଁ ଅଞ୍ଚଳବାସୀ ଓ ବ୍ୟବସାୟୀ ଦାବି କରିଛନ୍ତି।

Share