ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ

ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା ଜିଲାରେ ଏହି ଭଳି କ୍ଷୁଦ୍ର ଉଦ୍ୟୋଗ ଗଢି ଉଠିଛି । ଏଗୁଡିକରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ବିଭାଗ ପକ୍ଷରୁ ଏହାର ଗୁଣବତ୍ତା ଯାଞ୍ଚ କରାଯାଉ ନାହିଁ। ଏଭଳି ନିମ୍ନମାନର ଖାଦ୍ୟ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଟାଣି ଆଣୁଛି। ନିକଟରେ ଚନ୍ଦାହାଣ୍ଡିଠାରେ ସେବାଶ୍ରମରେ ବିସ୍କୁଟ ଖାଇ ୨୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିଲେ। ତଥାପି ପ୍ରଶାସନର ଏଥିପ୍ରତି ନିଘା ନାହିଁ । ପ୍ରଶାସନ ସଜାଗ ନ ହେଲେ ଫୁଡ ପଏଜନିଂ ଭଳି ବିପଦ ଆଗକୁ ଆସିବା ଆଶଙ୍କା ଏଡାଇ ଦିଆଯାଇ ନ ପାରେ।
ନବରଙ୍ଗପୁର ଜିଲାର ଗ୍ରାମାଞ୍ଚଳରେ କ୍ଷୁଦ୍ର ଉଦ୍ୟୋଗଗୁଡିକରେ ଖଡୁ, ଲଡୁ, ମିକ୍ସଚର ସେଓ ଆଦି ନିମ୍ନମାନର ତେଲ, ବେସନ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ କରାଯାଉଛି । ଆଇଏସଆଇ ମାର୍କ ନଥିବା ତେଲରେ ବିଭିନ୍ନ ସାମଗ୍ରୀ ଛଣାଯାଉଛି । ଏପରିକି ଖାଦ୍ୟ ପ୍ରସ୍ତୁତ ପାଇଁ ଉଦ୍ୟୋଗଗୁଡିକ ଲାଇସେନ୍ସ ନାହିଁ । ନିୟୋଜିତ ଶ୍ରମିକ ତଥା ପ୍ରସ୍ତୁତକାରୀମାନେ ହାତରେ ଗ୍ଲୋବସ, ସକ୍ସ, ମାସ୍କ, ଟୋପି ଆଦି କିଛି ବି ବ୍ୟବହାର କରୁ ନାହାନ୍ତି । ଏଥିସହ ଏହାକୁ ପ୍ରସ୍ତୁତ କରିବା ପାଇଁ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି । ତେଲରେ ଛଣାଯିବା ମିକ୍ସଚର, ସେଓ ଆଦି ଅସ୍ବାସ୍ଥ୍ୟକର ଚଟାଣରେ ରଖାଯାଉଛି । ପରେ ପ୍ୟାକେଟ କରାଯାଇ ବଜାରକୁ ଆସୁଛି। ବିଶେଷ କରି ହାଟରେ ଏଭଳି ସାମଗ୍ରୀ ଅଧିକ ବିକ୍ରି ହେଉଛି। ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟ ସୁରକ୍ଷା(ଫୁଡ ସେଫଟି) ବିଭାଗର ଦୃଷ୍ଟି ଅଢୁଆଳରେ ଏହା ରହି ଯାଉଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଚେତନତାର ଅଭାବ ଓ ନିରକ୍ଷରତା ଲାଗି ଲୋକମାନେ ମଧ୍ୟ ଗୁଣବତ୍ତାକୁ ଯାଞ୍ଚ ନ କରି ଏହାକୁ କିଣି ଖାଉଛନ୍ତି । ଏଥିପ୍ରତି ପ୍ରଶାସନ ଓ ଖାଦ୍ୟ ନିରିକ୍ଷକଙ୍କ ଦୃଷ୍ଟି ପଡୁ ନାହିଁ । ଗ୍ରାମାଞ୍ଚଳରେ ବ୍ୟବସାୟ ସ୍ଥାପନ କରି ଦୀର୍ଘ ଦିନ ହେବ ଏଭଳି ଉଦ୍ୟୋଗ ଗୁଡିକ ସ୍ଥାପନ ହୋଇଛି । କାହାର ସରକାରୀ ଅନୁମତି ରହିଛି ତ ଆଉ କାହାର ଅନୁମତି ନାହିଁ । ସେହିଭଳି ପ୍ରଦୃଷଣ ପ୍ରମାଣ ପତ୍ର ମଧ୍ୟ କାହାରି ପାଖରେ ନାହିଁ । ସେହିଭଳି ନବରଙ୍ଗପୁର ଜିଲାରେ ଅନେକ ହୋଟେଲ ଖୋଲିଛି ।୧୧ଟି ହୋଟେଲର ପ୍ରଦୃଷଣ ପ୍ରମାଣ ପତ୍ର ରହିଛି । ଅନ୍ୟ କାହାରି ନଥିବା ଜଣାପଡିଛି । ଏଥିପ୍ରତି ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁ ନାହିଁ । ଏନେଇ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Share