ଅହମଦାବାଦ୍‌ରେ ୩୩୪ ସୁପର ସ୍ପ୍ରେଡର: ମେ ୧୫ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ

ଅହମଦାବାଦ୍‌,୧୦।୫: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଅହମଦାବାଦ୍‌ରେ କରୋନା ସଂକ୍ରମଣ ବଢ଼ାଇଥିବା ୩୩୪ ଜଣ ସୁପର ସ୍ପ୍ରେଡରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଦ୍ୱାରା କରୋନା ସଂକ୍ରମଣ ଅଧିକ ବ୍ୟାପିଥିବା କୁହାଯାଉଛି। ସୁରକ୍ଷା ସୃଷ୍ଟିରୁ ତେଜରାତି, ପନିପରିବା ସମେତ ଅନ୍ୟ ଦୋକାନଙ୍କୁ ମେ ୧୫ ପର୍ଯ୍ୟନ୍ତ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଠାରେ ପ୍ରାୟ ୨୦୦୦ ସନ୍ଦିଗ୍ଧ ସୁପର ସ୍ପ୍ରେଡରଙ୍କ ନମୁନା ପରୀକ୍ଷା କରାଯାଇଥିବା ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଗୁପ୍ତା ସୂଚନା ଦେଇଛନ୍ତି। ଅହମଦାବାଦ୍‌ରେ ସୁପର ସ୍ପ୍ରେଡରଙ୍କ ସଂଖ୍ୟା ୧୪ ହଜାର ଥିବା ଅନୁମାନ କରାଯାଉଛି। ତେଣୁ ସ୍କ୍ରିନିଂ କାର୍ଯ୍ୟ ଜାରି ରହିଛି। ଏଠାରେ ଏପ୍ରିଲ୍‌ ୨୦ଠାରୁ ସୁପର ସ୍ପ୍ରେଡରଙ୍କ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୩,୮୧୭ ଜଣ ସନ୍ଦିଗ୍ଧ ସୁପର ସ୍ପ୍ରେଡରଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୩୩୪ ରିପୋର୍ଟ ପଜିଟିଭ୍‌ ଆସିଥିବା କୁହାଯାଉଛି।

Share