ନୂଆଦିଲ୍ଲୀ,୭ା୩(ପି.ଟି.): ଟିକସ ଫାଙ୍କି ସହ ସମ୍ପୃକ୍ତି ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କୁ ଆୟକର ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। ଦଳୀୟ ଅର୍ଥ କାରବାରକୁ ନେଇ ଟିକସ ଫାଙ୍କିର ତଦନ୍ତ କରୁଛି ଆୟକର ବିଭାଗ। ଦଳର କୋଷାଧ୍ୟକ୍ଷ ଭାବରେ ଅହମଦଙ୍କୁ ହାଜର ହେବା ପାଇଁ କୁହାଯାଇଛି। ଫେବୃୟାରୀରେ ହାଜର ହେବା ପାଇଁ ପ୍ରଥମ ସମନ ହୋଇଥିବାବେଳେ ଅସୁସ୍ଥ ଥିବା ଦର୍ଶାଇ ରାଜ୍ୟ ସଭା ଏମ୍ପି ଅହମଦ ଏହାକୁ ଏଡାଇଯାଇଥିଲେ। କଂଗ୍ରେସ ଦଳକୁ ମିଳୁଥିବା ଚାନ୍ଦା ଓ ଦଳୀୟ ଖର୍ଚ୍ଚକୁ ନେଇ ଆୟକର ବିଭାଗ ତାଙ୍କୁ ଜେରା କରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଗତବର୍ଷ ମଧ୍ୟପ୍ରଦେଶ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦଳୀୟ ପାଣ୍ଠି ସମ୍ପର୍କିତ ବିଭିନ୍ନ ଦସ୍ତାବିଜ ଜବତ ହୋଇଥିଲା। ଏହି ଅନିୟମିତତା ନେଇ ପୂର୍ବରୁ କେତେଜଣ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଜେରା କରାଯାଇଥିଲା।